ଓଡ଼ିଶା365(ବ୍ୟୁରୋ): ଅଗଷ୍ଟ ୧୪,୧୯୪୭ ଦେଶ ବିଭାଜନ ବିଭୀଷିକାର କରୁଣ ଚିତ୍ର ଦେଖିଥିଲା ସାରା ଦେଶ। ବିସ୍ଥାପିତ ହୋଇଥିଲେ ଅନେକ ଲୋକ । ଝଡି ପଡିଥିଲା ଅକାଳରେ ଜୀବନ,ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରୁଥିଲେ ସଭିଏଁ । ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ମଧ୍ୟ କରୁଥିଲେ ଦେଶବାସୀ। ଭାରତ-ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ପାଇଁ ଲକ୍ଷ ଲକ୍ଷ ଦେଶବାସୀ ବିସ୍ଥାପିତ ହେବା ସହ ନିଜ ଜୀବନ ହରାଇଥିଲେ।୧୫ ଅଗଷ୍ଟ ଭାରତ ବର୍ଷରେ ଉଡିଥିଲା ତ୍ରିରଙ୍ଗା। ମାତ୍ର ୧୬ ଅଗଷ୍ଟ ୧୯୪୬ ମସିହାରେ ମୁସଲିମ୍ ଲିଗ୍ ଦ୍ୱାରା “ଡାଇରେକ୍ଟ ଆକ୍ସନ ଡେ” କାରଣରୁ ଦେଶ ବିଭାଜନ ପରେ ଲାଗି ରହିଥିଲା ଦଙ୍ଗା।
ଚାରିଆଡେ ଶୁଭିଥିଲା କରୁଣ ଚିତ୍କାର। ବିଭାଜନ ଭୟାବହତା ଏତେ ମାତ୍ରାରେ ଥିଲା ଯେ,ଆଜିସୁଦ୍ଧା ପାକିସ୍ତାନ ଓ ବାଂଲାଦେଶରୁ ବହୁ ସଂଖ୍ୟାରେ ଲୋକ ପଳାୟନ କରୁଛନ୍ତି। ଦେଶ ବିଭାଜନ ସମୟରେ ନିର୍ମମ ଦୁଃଖ, ଯନ୍ତ୍ରଣା, ଦୁଷ୍କର୍ମ ଓ ନରହତ୍ୟାର ଯନ୍ତ୍ରଣା କେବେ ହେଲେ ଭୁଲି ହେବନାହିଁ । ମାନବ ଇତିହାସର ସବୁଠୁ ବଡ ବିଭୀଷିକା ବୋଲାଉଥିବା ଏହି ବିଭାଜନ ସମୟରେ ୨୦ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ୨କୋଟି ୫୦ଲକ୍ଷ ଲୋକ ବିସ୍ଥାପିତ ହୋଇ ଅନ୍ୟ ଦେଶରେ ବା ନିଜ ଦେଶରେ ଶରଣାର୍ଥୀ ହୋଇଥିଲେ । ମୋଟ ୫କୋଟି ଲୋକ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ । ଏହି ବିଭାଜନର ଯନ୍ତ୍ରଣା କଥା ମନେ ପଡିଲେ ଆଖିରେ ଆସିଯାଏ ଲୁହ । ୧୬ ଅଗଷ୍ଟ ୧୯୪୬ମସିହାରେ ମୁସଲିମ୍ ଲିଗ୍ ଦ୍ୱାରା “ଡାଇରେକ୍ଟ ଆକ୍ସନ ଡେ” କାରଣରୁ ଦେଶ ବିଭାଜନ ପରେ ମଧ୍ୟ ଦଙ୍ଗା ଲାଗି ରହିଥିଲା । ମୁସଲିମ୍ ନ୍ୟାସନାଲ ଗାର୍ଡ, ପାକିସ୍ଥାନୀ ମିଲିଟାରୀ, ମୁସ୍ଲିମ ଲିଗ, ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ଅଣମୁସଲିମମାନଙ୍କୁ ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ଦେଶ ବିଭାଜନର ଯନ୍ତ୍ରଣା ମନରୁ ନଲିଭୁଣୁ ଡାଇରେକ୍ଟ ଆକ୍ସନ ଡେ ଜନସାଧାରଣଙ୍କ ଯନ୍ତ୍ରଣାକୁ ବଢାଇଥିଲା।
ଭାରତର ବିଭାଜନ କରି ମୁସଲମାନ ବହୁଳ ଅଂଚଳ ଗୁଡିକୁ ନେଇ ଅଲଗା ଦେଶ ଗଠନ କରିବା ପାଇଁ ଦେଶବାସୀ ଓ କଂଗ୍ରେସ ନେତା ମାନଙ୍କୁ ଭୟଭୀତ କରିବା ଓ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ୧୯୪୬ ମସିହା ଅଗଷ୍ଟ ମାସ ୧୬ ତାରିଖ ଦିନକୁ ଡାଇରେକ୍ଟ ଆକ୍ସନ ଡେ ଭାବରେ ପାଳନ କରିବାକୁ ମୁସଲିମ ଲିଗ ଆହ୍ୱାନ କରିଥିଲା । ଲିଗ କହିଥିଲା ଭାରତର ମୁସଲମାନ ମାନେ ଯେତେବେଳ ଯାଏ ସ୍ୱାଧୀନ ଏବଂ ପୂର୍ଣ ସଂପ୍ରଭୁତା ସମ୍ପନ୍ନ ପାକିସ୍ତାନର ସ୍ଥାପନା ନ ହୋଇଛି ସେତେବେଳେ ଯାଏ ଶାନ୍ତିର ସହିତ ବସିବେ ନାହିଁ।ଏବେ ସମୟ ଆସିଯାଇଛି ଯେ ମୁସଲମାନ ରାଷ୍ଟ୍ର ଡାଇରେକ୍ଟ ଆକ୍ସନ ଆରମ୍ଭ କରନ୍ତୁ। ଜିନ୍ନା କହିଥଲେ ଆଜି ଆମେ ସାମ୍ବିଧାନିକ ପଦ୍ଧତିକୁ ବିଦାୟ ଦେଉଛୁ, ଆମ ହାତରେ ବର୍ତମାନ ପିସ୍ତଲ ଅଛି ଓ ଆମେ ତାକୁ ବ୍ୟବହାର କରିବା ସ୍ଥିତିରେ ଅଛୁ ।
ବଙ୍ଗରେ ମୁସଲିମ ଲିଗର ଶାସନ ଥିବାରୁ ଡାଇରେକ୍ଟ ଆକ୍ସନକୁ ପ୍ରଦର୍ଶନ କରିବାକୁ ଏହି ରାଜ୍ୟକୁ ମୁସଲିଗ ଲିଗ ନେତୃତ୍ୱ ବାଛିଥିଲା । ସେତେବେଳେ ଅବିଭାଜିତ ବଙ୍ଗର ମୁଖ୍ୟମନ୍ତ୍ରୀ ମୁସଲିମ ଲିଗର ସୁହରାବର୍ଦୀ ଥିଲେ ।ଅଗଷ୍ଟ ମାସ ୧୬ ତାରିଖ ଦିନର ଗୋଟିଏ ଦିନ ପୂର୍ବ ଯାଏ କାହାକୁ ଜଣା ନ ଥିଲା ଯେ ଡାଇରେକ୍ଟ ଆକ୍ସନ ଡେ କଣ ? ସେହି ଦିନ ସକାଳ ଯାଏ ସବୁ କିଛି ସାଧାରଣ ଥିଲା । ଦିନ ଅଧିକ ହେବା ଓ ମଧ୍ୟାହ୍ନ ହେବା ବେଳକୁ କୋଲକାତାର ବିଭିନ୍ନ ଅଂଚଳରେ ଜଳାପୋଡା, ପଥର ଫିଙ୍ଗା, ଭଙ୍ଗା ରୁଜା ହୋଇଥିଲା । ଏଭଳି ଛୋଟ ଘଟଣା ଯେ ଭୀଷଣ ହିନ୍ଦୁ ନରସଂହାରର ରୂପ ନେବ ଏହା କେହି ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିଲେ ।
କୋଲକାତା ସହର ଓ ଏହାର ଆଖପାଖ ଅଂଚଳରେ ହଠାତ ମୁସଲମାନ ମାନଙ୍କର ଭୀଡ ବଢିବାରେ ଲାଗିଲା । ଲକ୍ଷ- ଲକ୍ଷ ମୁସଲମାନ ମାନ ଏକାଠି ହୋଇଥିଲେ। ଅଧିକାଂଶ ଲୋକଙ୍କ ହାତରେ ଲୁହାର ରଡ୍ ଓ ଲାଠି ଥିଲା । ମୁସଲମାନ ମାନଙ୍କୁ ପ୍ରବର୍ତ୍ତାଇଥିଲେ ଖ୍ୱାଜା ନଜିମୁଦ୍ଦିନ ଓ ସୁହାରବର୍ଦୀ । କୋଲକାତାର ରାଜା ବଜାର, କେଲା ବାଗାନ, କଲେଜ ଷ୍ଟ୍ରିଟ, ହାରିସନ ଷ୍ଟ୍ରିଟ ଆଦି ଅଂଚଳରେ ହିନ୍ଦୁ ମାନଙ୍କ ଘର ଓ ଦୋକାନକୁ ଜଳାଇ ଦିଆଗଲା । ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା ଏହି ହିଂସାର ତାଣ୍ଡବ ୨୦ ଅଗଷ୍ଟ ଯାଏ ଚାଲିଥିଲା । ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ ସେତେବେଳେ ଡାଇରେକ୍ଟ ଆକ୍ସନ ଡେ ର ଏହି କଳା ଅଧ୍ୟାୟର ପୁନର୍ପାଠ କରି ଏଥିରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ।