ଓଡ଼ିଶା365(ବ୍ୟୁରୋ): ଅଟଳ ଯାହାର ସାହାସ, ସଂଘର୍ଷ ଯାହାର ସଂକଳ୍ପ,ବିକାଶର ସେ ପଥିକ,ରାଜନୀତିର ରଣବୀର ସିଏ,ଶଦ୍ଦର ଶିଳ୍ପୀ,କାଳଜୟୀ କବି ,ଦିଗନ୍ତ ବିସ୍ତାରୀ ଦାର୍ଶନିକ,ଜନପ୍ରିୟ ନେତା, ବିକାଶ ପୁରୁଷଙ୍କ ସଡ଼କ କ୍ରାନ୍ତିରେ ଅଗ୍ରସର ଦେଶର ବିକାଶ ପ୍ରକ୍ରିୟା। ସ୍ବର୍ଣ୍ଣ ଚତୁର୍ଭୁଜ ସଡ଼କ ଯୋଜନାର ପୁରୋଧା,ଅଜାତଶତ୍ରୁ ଭାରତ ରତ୍ନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଗ ପୁରୁଷ ଅଟଳବିହାରୀ ବାଜପେୟୀଙ୍କ ପୂଣ୍ୟତିଥିରେ, ଅଟଳଙ୍କ ସମାଧିସ୍ଥଳ ସଦୈବ ଅଟଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବରିଷ୍ଠ ନେତୃମଣ୍ଡଳି। ସାରା ଦେଶ ପୂର୍ବତନ ଜନପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ପୂଣ୍ୟତିଥିରେ ମନେ ପକାଉଛନ୍ତି।
ବାଜପେୟୀ ପ୍ରଥମେ ଜଣେ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ସୁଦ୍ଧା ୧୯୫୧ ମସିହାରେ ଭାରତୀୟ ଜନସଂଘରେ ଯୋଗଦେବା ପରେ ତାଙ୍କ ସାମ୍ବାଦିକ ଜୀବନରେ ପଡିଥିଲା ପୂର୍ଣ୍ଣଚ୍ଛେଦ । ଭାରତୀୟ ଜନସଂଘ ହିଁ ଥିଲା ଆଜିର ଭାରତୀୟ ଜନତା ପାର୍ଟିର ପୂର୍ବ ସ୍ୱରୂପ । ଏବେ ଭାରତୀୟ ଜନତା ପାର୍ଟି ହେଉଛି ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଏନଡିଏର ପ୍ରମୁଖ ଅଂଶୀଦାର । ବାଜପେୟୀଙ୍କ ଜନ୍ମସ୍ଥଳି ତତ୍କାଳୀନ ଦେଶୀୟ ରାଜ୍ୟ ଗ୍ଵାଲିଅରରେ ଏବେ ତାହା ମଧ୍ୟପ୍ରଦେଶର ଅଂଶ ବିଶେଷ ହୋଇ ରହିଛି। ୧୯୨୪ମସିହା ଡିସେମ୍ବର୨୫ରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ଛାତ୍ର ଜୀବନରେ ସେ ଆରଏସ୍ଏ଼ସ୍ରଙ ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ ।
ରାଜନୀତି କ୍ଷେତ୍ରରେ ତାଙ୍କର ପ୍ରଗତି ତାଙ୍କ ରାଜନୈତିକ ପାରଦର୍ଶିତା ଓ ଭାରତୀୟ ଗଣତନ୍ତ୍ର ପ୍ରତି ଥିଲା ଶ୍ରଦ୍ଧାଞ୍ଜଳି । ଦଶନ୍ଧି ଦଶନ୍ଧି ଧରି ବିଶ୍ୱ ରାଜନୀତି ପ୍ରସଙ୍ଗରେ ଜଣେ ଉଦାରପନ୍ଥୀ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ତାଙ୍କୁ ସର୍ବସାଧାରଣରେ ଜଣେ ସମ୍ମାନସ୍ପଦ ନେତା ଭାବେ ସୁପ୍ରତିଷ୍ଠିତ କରିପାରିଛି ।ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ଜଣେ ଦୃଢ଼ ପ୍ରବକ୍ତା ଭାବେ ଶ୍ରୀ ବାଜପେୟୀ ସଦାବେଳେ ଭାରତର ପ୍ରଗତି ଓ ବିକାଶରେ ବିଶ୍ୱାସୀ ଥିଲେ । ଭାରତ କିଭଳି ଦୃଢ଼ ସମୃଦ୍ଧ ଭାବେ ବିଶ୍ୱ ସମୁଦାୟ ଓ ବୈଶ୍ୱିକ ସଂଗଠନମାନଙ୍କରେ ତାର ଉପଯୁକ୍ତ ସ୍ଥାନ ପାଇପାରିବ ଏହି ଚିନ୍ତାଧାରାରେ ସେ ଜଣେ ପ୍ରମୁଖ ପ୍ରବକ୍ତା । ସର୍ବାଦା ଆଧୁନିକତା ଆପଣେଇବାକୁ ଓ ଅଭିନବତ୍ୱ ତଥା ପୁନର୍ଜାଗରଣ ବଳରେ ଆଗାମୀ ବର୍ଷ ପାଇଁ ସବୁ ପ୍ରକାର ମୁକାବିଲା କରିବାକୁ ସେ ରହୁଥିଲେ ପ୍ରସ୍ତୁତ । ରାଜନୀତିରେ ସେ ଥିଲେ ରଣବୀର। ଅଟଳ ବିହାରୀ ବାଜପେୟୀ ୯ଥର ଲୋକସଭା ସାଂସଦ ହୋଇଥିବା ବେଳେ ୨ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ୩ଥର ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ ବାଜପେୟୀ। ୧୯୯୬ରେ ସେ ୧୩ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,କ୍ଷମତାରେ ଥିବାବେଳେ ୧୯୯୯ରୁ ୨୦୦୪ ଯାଏ ୫ବର୍ଷ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ସେ । ସାରା ଜୀବନ ସେ ଥିଲେ ଅବିବାହିତ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର କାର୍ଯ୍ୟଭାର ସମ୍ଭାଳି ଥିଲେ । ଜଣେ ଉଦାରବାଦୀ ନେତା ଭାବେ ସେ ସେ ଥିଲେ ପରିଚିତ।
ସେ ଅନେକ ଥର ମଧ୍ୟ ଜେଲ ଯାଇଛନ୍ତି , ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ ।୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା । ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା । ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ ।ଜନସଂଘ ପରେ ଭାରତୀୟ ଜନତା ପାର୍ଟି ବା ବିଜେପି ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା । ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ସେ ରାଜନୀତର ପାଠ ପଢ଼ିଥିଲେ । ୧୯୫୫ରେ ପ୍ରଥମ କରି ସେ ଲୋକ ସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକ ସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକ ସଭାକୁ ପ୍ରଥମ କରି ଯାଇଥିଲେ । ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏପରିକି ନେହେରୁ କହିଥିଲେ, ଏହି ଯୁବକଜଣକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ତାହା ମଧ୍ୟ ସତ ହୋଇଥିଲା।
ଅଟଳଙ୍କ ପ୍ରଧାମମନ୍ତ୍ରୀତ୍ବ ସମୟରେ ଅନେକ ଗୁରୁତ୍ବପୂଣ୍ଣ ଘଟଣାମାନ ଘଟିଥିଲା ଭାରତୀୟ ରାଜନୀତିର ଇତିହାସରେ। ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ଲାହୋର ଚୁକ୍ତି,ଦିଲ୍ଲୀ ଲାହୋର ମଧ୍ୟରେ ବସ ସେବା,ପୋଖରାନ ଆଣବିକ ପରିକ୍ଷା,କାରର୍ଗିଲ ଯୁଦ୍ଧ,ଜାତୀୟ ରାଜପଥ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନା ପରି ବହୁ ଗୁରୁତ୍ବପୂଣ୍ଣ ଘଟଣା ଓ ଯୋଜନାର ସେ ଥିଲେ ସଫଳ ନାୟକ। ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ୬ଥର ବିଜୟୀ ହୋଇଛନ୍ତି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ । ସେ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ କରିଥିଲେ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ । ସେ ରାଷ୍ଟ୍ରୀୟ ସୁରକ୍ଷା ସମିତି, ଆର୍ଥିକ ପରାମର୍ଶଦାତା କମିଟି ଏବଂ ବ୍ୟାପାର ଓ ଉଦ୍ୟୋଗ କମିଟି ଗଠନ କରିଥିଲେ । ୧୯୯୯ରେ କାରଗିଲ ଯୁଦ୍ଧ ଓ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିଲା ।
ଭାରତ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର ସେବାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ଶ୍ରୀ ବାଜପେୟୀଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି । ୧୯୯୨: ପଦ୍ମ ବିଭୂଷଣ,୧୯୯୩ରେ କାନପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ ଉପାଧି,୧୯୯୪ ମସିହାରେ ଶ୍ରୀ ବାଜପେୟୀଙ୍କୁ ଭାରତର ଶ୍ରେଷ୍ଠ ସାଂସଦ ଓ ଲୋକମାନ୍ୟ ତିଳକ ପୁରସ୍କାର ସମ୍ମାନ,ପଣ୍ଡିତ ଗୋବିନ୍ଦବଲ୍ଲଭପନ୍ଥପୁରସ୍କାର,୨୦୧୫ମସିହାରେ ଭାରତର ସଫଳ ରାଜନାତା ବିକାଶ ପୁରୁଷଙ୍କୁଭାରତ ରତ୍ନ ସମ୍ମାନରେ କରାଯାଇଥିଲାସମ୍ମାନିତ। ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ-ଜୀବନ ଆଦି ତାଙ୍କ କାବ୍ୟ-କବିତାରେ ପ୍ରକାଶ ପାଇଛି । ତାଙ୍କର କବିତା ସଂକଳନ ମୋର ୫୧ଟି କବିତାଟି ବେଶ୍ ଲୋକପ୍ରିୟତା ହାସଲ କରିଛି । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଜାତୀୟତାବାଦ ପ୍ରତି ତାଙ୍କର ନିଷ୍ଠା ଅଙ୍କୁରିତ ହୋଇଛି । ସେହି ବିକାଶପୁରୁଷ ଜଣଙ୍କ ୧୬ ଅଗଷ୍ଟ ୨୦୧୮ଆଜିର ଦିନରେ ସେ ମୁତ୍ୟୁବରଣ କରିଥିଲେ। ଭାରତ ହରାଇଥିଲା ଭାରତ ରତ୍ନଙ୍କୁ । ଆଜି ଏ ମହାନ ରାଷ୍ଟ୍ରନେତାଙ୍କ ପୂଣ୍ୟତିଥିରେ ତାଙ୍କୁ ମନେ ପକାଉଛନ୍ତି ସାରା ଦେଶ।