ଓଡ଼ିଶା365 (ବ୍ୟୁରୋ): ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କ ଠାରୁ ବଡ ଆଶ୍ଵସ୍ତି । ଆଶ୍ୱସ୍ତି ପାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜ୍ । ଗତ କିଛି ଦିନହେବ ନିଜ ପୁରୁଷ ବନ୍ଧୁ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ପଡିଥିଲେ ହରଡଘଣାରେ । ତାଙ୍କୁ ସୁକେଶଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଇଡି କରିଥିଲା ପଚରାଉଚରା । ତେବେ ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନ ଫର୍ଣ୍ଣାଡିଜ୍ଙ୍କୁ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।ଏଥିସହିତ କୋର୍ଟ ଜ୍ୟାକଲିନ୍ଙ୍କ ଜାମିନ ସର୍ତ୍ତକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି ।
ଜ୍ୟାକଲିନଙ୍କୁ ଦେଶ ବାହାରେ ଯାତ୍ରା କରିବା ପୂର୍ବରୁ ଇଡି ଏବଂ କୋର୍ଟ ତିନି ଦିନ ପୂର୍ବରୁ ଖବର ଦେବାକୁ ପଡିବ। ଯଦି ଜ୍ୟାକଲିନ୍ ତାଙ୍କର କୌଣସି ପ୍ରୋଜେକ୍ଟ ସଂପର୍କରେ ବିଦେଶ ଯାଆନ୍ତି, ତେବେ ତାଙ୍କୁ କୋର୍ଟଙ୍କ ଅନୁମତି ନେବାର ଆବଶ୍ୟକତା ନାହିଁ । କେବଳ କୋର୍ଟଙ୍କୁ ଏହା ବିଷୟରେ ଅବଗତ କରିବାକୁ ପଡିବ । କୋର୍ଟ କହିଛନ୍ତି ଜ୍ୟାକଲିନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରନ୍ତି, ତାଙ୍କ କାର୍ଯ୍ୟ ସଂପର୍କରେ ତାଙ୍କୁ ଲଗାତାର ବିଦେଶ ଭ୍ରମଣ କରିବାକୁ ପଡିବ । ବିଦେଶ ଯିବା ପୂର୍ବରୁ ସେ କେଉଁ ଦେଶକୁ ଯାଉଛନ୍ତି, କେତେ ଦିନ ହେବ ସେ ବିଷୟରେ ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ସେଠାରେ ରହିବାକୁ ସହ ସେହି ସ୍ଥାନର ଠିକଣା ଏବଂ ଫୋନ୍ ନମ୍ବର ମଧ୍ୟ ଦେବାକୁ ପଡିବ ।