ଓଡ଼ିଶା 365:(ବ୍ୟୁରୋ) ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ଇ- ବସ ସେବା ଓ ବିଶ୍ୱକର୍ମା ଭଳି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । କେନ୍ଦ୍ର କ୍ୟାବିନେଟ ବୈଠକରେ ଇ- ବସ ସେବା ଓ ବିଶ୍ୱକର୍ମା ଭଳି ଯୋଜନାକୁ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ପିଏମ ଇ-ବସ ଯୋଜନାରେ ମୋଟ ୫୭ ହଜାର ୬ ଶହ ୧୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ଅଧିନରେ ସାରା ଦେଶରେ ୧୦ ହଜାରରୁ ଅଧିକ ଇଲେକ୍ଟ୍ରି ବସ ଚଳାଚଳ କରିବ । ଏହି ବସ ଗୁଡ଼ିକର ଟ୍ରାଏଲ ଦେଶର ୧୦୦ ଟି ସହରରେ କରାଯିବ ବୋଲି ଜଣାପଡିଛି । ଏହି ଯୋଜନା ଅନ୍ତର୍ଗତ ୧୦ ବର୍ଷ ପର୍ଯ୍ୟନ୍ତ ବସ ଅପରେଟରଙ୍କୁ ସପୋର୍ଟ କରିବେ କେନ୍ଦ୍ର ସରକାର ।
ସେହିପରି ବିଶ୍ୱକର୍ମା ଯୋଜନା ଅଧିନରେ ପାରମ୍ପାରିକ କୌଳିକ ବୃତ୍ତି କରୁଥିବା ଲୋକଙ୍କୁ ଅର୍ଥିକ ସହୟତା ଦେବେ କେନ୍ଦ୍ର ସରକାର । ଏହି ନୂଆ ଯୋଜନା ବିଶ୍ୱକର୍ମା ଯୋଜନା ରେ ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ ଲକ୍ଷ ଯାଏଁ ଋଣ ମିଳିବାର ଯୋଜନା ରହିଛି । ବିଶେଷ କରି ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଏହାକୁ ବିଶ୍ୱକର୍ମା ଜୟନ୍ତିଠାରୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।