ଓଡ଼ିଶା 365 (ବ୍ୟୁରୋ): ବଢୁଛି ମୋକିମଙ୍କ ଅଡୁଆ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସୂଚନା ଅନୁଯାୟୀ ମୋକିମ କଂଗ୍ରେସ ସଭାପତି ହେବାନେଇ ଆଶାଇଥିଲେ । ହେଲେ ଦଳ ତାଙ୍କୁ ବୋଧୂଏ ସେତିକି ଉପଯୁକ୍ତ ଭାବିନଥିଲା । ତେଣୁ ଗତ କିଛିଦିନ ପୂର୍ବରୁ ସେ ଦଳ ବିରୋଧରେ କେଉଁଠିନା କେଉଁଠି ମୁହଁ ଖୋଲୁଥିଲେ । ଆଉ ରାଷ୍ଟ୍ରପତି ନିର୍ବାଚନ ସମୟରେ ସବୁ ସନ୍ଦେହ ଦୂର ହୋଇଥିଲା । ତେଣୁ କିଛଦିନ ହେବ ବିବାଦୀୟ ବୟାନ ପାଇଁ ଦଳ ମୋକିମଙ୍କୁ ଏକଘରକିଆ କରିଛି । ଦଳ ପାଇଁ ସେ ଅଲୋଡା ହୋଇପଡିଥିବା ବେଳେ ଏବେ କଟକ ବାରବାଟୀ ନିର୍ବାଚନ ଅନିୟମିତତା ମାମଲାରେ ଘାଣ୍ଟିଲାଣି ହେଲେଣି । ବେଆଇନ ଭାବେ ଜଳାଶୟ ଜମି ପୋତିବାଠାରୁ ଆରମ୍ଭ କରି ଓ.ଆର ଏଚ.ଡି.ସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଘଟଣାରେ ପାଣି ପିଇଲେଣି ବିଧାୟକ ମୋକିମ ।
୨୦୧୯ ବିଧାନସଭା ନିର୍ବାଚନରେ କରିଥିବା ଅନିୟମିତତା ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି ।ସତେଯେମିତି ଅଡୁଆ ଯେମିତି ବିଧାୟକ ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନାହିଁ ।ସୋମବାରଠାରୁ ଆରମ୍ଭ ହୋଇଛି ନିର୍ବାଚନୀ ଅନିୟମିତତା ମାମଲାରେ ଜେରା । ମୋକିମ ହାଇକୋର୍ଟରେ ହାଜର ହୋଇ ଜେରାର ଉତ୍ତର ରଖିଛନ୍ତି । କୋର୍ଟଙ୍କୁ ଦେଇଥିବା ସତ୍ୟପାଠକୁ ନେଇ ପ୍ରତିପକ୍ଷ ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ତାଙ୍କୁ ପ୍ରଥମ ଦିନ ଜେରା କରିଛନ୍ତି । ତେବେ ସୂଚନା ଅ ନୁସାରେ ଜେରା ଅସମ୍ପୂର୍ଣ୍ଣ ରହିଛି । ପରବର୍ତ୍ତୀ ଜେରା ପାଇଁ କୋର୍ଟ ସେପ୍ଟେମ୍ବର ୨୧କୁ ତାରିଖ ଧାର୍ଯ୍ୟ କରିବା ସହିତ ସେଦିନ କୋର୍ଟ ପୁରା ସମୟ ଜେରା ଶୁଣିବେ ବୋଲି ମୋକିମଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି । ବିଭିନ୍ନ କାରଣରୁ ଏହି ମାମଲାଟିର ଶୁଣାଣି ବିଳମ୍ବିତ ହୋଇଥିବା କୋର୍ଟ ଅନୁଭବ କରିଛନ୍ତି । ମୋକିମ ମଧ୍ୟ କଳେବଳେ କେସଟିକୁ ବିଳମ୍ବ କରିବା ପାଇଁ ଅପଚେଷ୍ଟା ଜାରି ରଖିଥିବା ଆବେଦନକରି ଦେବାଶିଷ ଅଭିଯୋଗ କରିଆସୁଛନ୍ତି ।
ତେବେ ଜାଣନ୍ତୁ ଏହି ନିର୍ବାଚନ ଅନିୟମିତତା କଣ ? ମୋକିମଙ୍କ ଗଳାର କଣ୍ଟା ପାଲଟିଛି ନିର୍ବାଚନ ଅନିୟମିତତା । ୨୦୧୯ରେ ବାରବାଟୀ ବିଧାନସଭା ଆସନ ପାଇଁ ଜାତୀୟ କଂଗ୍ରେସ ଦଳରୁ ଇଂଞ୍ଜିନିୟର ମହମ୍ମଦ ମୋକିମ ନୋମିନେସନ ଦଖଲ କରିଥିଲେ । ଏହି ପକ୍ରିୟାରେ ମୋକିମ ବ୍ୟାପକ ଭାବରେ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଓ ୩୩ର ଉଲ୍ଲଂଘନ କରିଥିଲେ ।
ମୋକିମଙ୍କ ପ୍ରଥମ ଭୁଲ ହେଲା ନୋମିନେସନ ପ୍ରେସକ୍ରାଇବ ଫର୍ମ ୨ବିର ବ୍ୟବହାର ପରିବର୍ତ୍ତେ ସ୍ୱପ୍ରସ୍ତୁତ ଫର୍ମରେ ଭରିଥିଲେ ନୋମିନେସନ । ଯେଉଁଥିରେ ସେ ଫର୍ମର ପାର୍ଟ ଟୁ ସମ୍ପୂର୍ଣ୍ଣ ଓ ପାର୍ଟ ୩-୩ଏର ଆଂଶିକ ଉଚ୍ଛେଦ କରିଦେଇଥିଲେ । ଦ୍ୱିତୀୟ ଭୁଲଟି ହେଲା, ମୋକିମ ଦୁଇ ଏପ୍ରିଲରେ ନୋମିନେସନ ଦାଖଲ କରିଥିବା ବେଳେ ଦେଇଥିବା ସତ୍ୟପାଠରେ ଏହା ୩ ଏପ୍ରିଲ ଥିଲା । ସେହିପରି ତୃତୀୟ ଭୁଲ ହେଲା, ମୋକିମ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା ଅପରାଧୀକ ମାମଲା ଓ ସମ୍ପତ୍ତି ତାଲିକା ମିଥ୍ୟା । ନୋମିନେସନ ସତ୍ୟପାଠରେ ORHDC ସଂସ୍ଥାରୁ ଲୋନ ସମ୍ପର୍କରେ କୌଣସି ତଥ୍ୟ ନଥିବା ହେଉଛି ଚତୁର୍ଥ ଭୁଲ । ଏ ସବୁକୁ ଆଧାର କରି ଦେବାଶିଷ ସାମନ୍ତରାୟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନିବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଉ ଏବେ ମାମଲା ଅନ୍ତିମ ପର୍ଯ୍ୟୟରେ ପହଁଞ୍ଚିଛି ।