ଓଡ଼ିଶା365(ବ୍ୟୁରୋ): ରାଜ୍ୟର ବିକାଶ ହେଉଛି ବୋଲି ସରକାର ଡିଣ୍ଡିମ ପିଟି ଚାଲିଛନ୍ତି । ଗାଁରେ ବି ସହର ପରି ସୁବିଧା ମିଳୁଛି ବୋଲି ବାରମ୍ବାର ପ୍ରଚାର କରୁଛନ୍ତି। ହେଲେ ବିକାଶ ଯେ ଫାଇଲରେ ସୀମିତ ହୋଇ ରହୁଛି ଶିକ୍ଷା ବ୍ୟବସ୍ଥା ଉପରେ ନଜର ପକାଇଲେ ତାହା ସ୍ପଷ୍ଚ ଭାବରେ ଜଣାପଡ଼ିବ। କାରଣ ରାଜ୍ୟର ହଜାରରୁ ଅଧିକ ବିଦ୍ୟାଳୟ ଏବେ ଭଡ଼ା ଘରେ ଚାଲିଛି। କିଏ ତିନି ମହଲା ଘର ଭଡ଼ା ନେଇ ସ୍କୁଲ ଖୋଲିଛି ତ ଆଉ କିଏ ଦୁଇ ମହଲା କୋଠାରେ ପ୍ଲେ ସ୍କୁଲ ଖୋଲି ଶୈଶବର ବିକାଶ କରୁଛନ୍ତି। ଭୁବନେଶ୍ବର,କଟକ,ସମ୍ବଲପୁର,ବାଲେଶ୍ବର,ବ୍ରହ୍ମପୁର ସହରରେ ଏମିତି ବି ସ୍କୁଲ ରହିଛି ଯେଉଁଠି ତଳ କୋଠାରେ ପିଲାଙ୍କ ଶିକ୍ଷାଦାନ ଚାଲିଥିବା ବେଳେ ଉପର ମହଲା ଲୋକଙ୍କ ଆବାସିକ ସ୍ଥଳୀ ଭାବେ ବ୍ୟବହାର ହେଉଛି। ପିଲାଙ୍କ ପାଇଁ ନା ଅଛି ଖେଳ ପଡ଼ିଆ, ନା ଅଛି ଲାଇବ୍ରେରି। ଛାତ୍ରଛାତ୍ରୀଙ୍କ ଶାରୀରିକ ବିକାଶ ଦିଗରେ ସାମାନ୍ୟ ପଦକ୍ଷେପ ମଧ୍ୟ ନିଆଯାଉ ନାହିଁ। ଅନେକ ସ୍ଥାନରେ ଘର ବାରଣ୍ଡାରେ ବି ପାଠପଢ଼ା ଚାଲିଛି ।
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ରାଜଧାନୀ ଭୁବନେଶ୍ବରରେ ଛତୁ ଫୁଟିଲା ପରି ଇଂରାଜୀ ମାଧ୍ୟମଠାରୁ ଆରମ୍ଭ କରି ପ୍ଲେ ସ୍କୁଲ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପର୍ଯ୍ୟନ୍ତ ସ୍କୁଲ ଖୋଲୁଛି। ହେଲେ କେଉଁ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ନାହିଁ ତ ଆଉ କେଉଁଠାରେ ସୁରକ୍ଷାରେ ପୁରା ଢିଲା। ବୋଧହୁଏ କେଉଁ ସ୍କୁଲରେ ବି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଅନେକ ବିଦ୍ୟାଳୟରେ ନିର୍ମାଣ ହୋଇଥିବା କୋଠାର ସିଡିଗୁଡ଼ିକ ନିୟମ ଅନୁଯାୟୀ କରାଯାଇନାହିଁ। ସିଡ଼ିଗୁଡ଼ିକ ବହୁତ ଛୋଟ ଆକାରରେ କରାଯାଇଥିବାରୁ ପିଲାଙ୍କ ପାଇଁ ଯାତାୟାତରେ ବହୁ ଅସୁବିଧା ହେଉଛି । କେଉଁଠି ଖୋଲା ସ୍ଥାନ ନଥାଇ ବି ସ୍କୁଲ ଖୋଲୁଛି ତ ଆଉ କେଉଁଠି ୧୦ଫୁଟର କରିଡର ବଦଳରେ ୩ରୁ ୪ଫୁଟ କରିଡର ରହିଛି। ଆବାସିକ ଘରେ ସ୍କୁଲ ଖୋଲି କେତେକ ଶିକ୍ଷା ସଂସ୍ଥା ବ୍ୟବସାୟ କରୁଥିବାରୁ ସହରର ୪୩ଟି ଘରୋଇ ବିଦ୍ୟାଳୟକୁ ସିଓଆର୍(ସାର୍ଟିଫିକେଟ୍ ଅଫ୍ ରେକୋଗନେସନ୍) ଓ ଏନଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍) ଦିଆଯାଇ ନ ଥିବା ଜଣାପଡ଼ିଛି। ସେପଟେ ଯେଉଁ ବିଦ୍ୟାଳୟଗୁଡ଼ିକ ଭଡ଼ା ଘରେ ଚାଲୁଛି ସେମାନେ ଘର ମାଲିକଙ୍କ ସହ ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ ଏଗ୍ରିମେଣ୍ଟ କରୁଛନ୍ତି। ୧୦ ବର୍ଷିଆ ଏଗ୍ରିମେଣ୍ଟ ହେଉ ନ ଥିବାରୁ ପିଲା ଓ ଅଭିଭାବକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ବାରମ୍ବାର ସ୍କୁଲର ଠିଣା ବଦଳୁଛି । ୨୦୨୨-୨୩ ଶିକ୍ଷାବର୍ଷ ପିଲାଟି ଯେଉଁଠି ନାମଲେଖାଇଥିଲା ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲ ଠିକଣା ବଦଳି ଯାଇଛି। ଘରଠାରୁ ଦୁଇରୁ ତିନି କିମି ଦୂରରେ ସ୍କୁଲ ଥିବାରୁ ପିଲାଙ୍କୁ ନେବା ଆଣିବାରେ ଅଭିଭାବକଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ହିଁ ଦେଉନାହାନ୍ତି । ରାଜ୍ୟ ସରକାର ଏଥିପ୍ରତି କଠୋର ହେବା ସହ ସ୍ବତନ୍ତ୍ର ଆଇନ ଆଣିବା ଆବଶ୍ୟକ। ନତେଚ ପିଲାଙ୍କ ଭବିଷ୍ୟତ ହିଁ ଅନ୍ଧକାରକୁ ଠେଲି ହୋଇଯାଉଛି ।
ଅନ୍ୟପକ୍ଷରେ ରାଜ୍ୟର ୫୦୦ରୁ ଅଧିକ ଘରୋଇ ବିଦ୍ୟାଳୟ ସିଓଆର୍ ପାଇ ନାହାନ୍ତି । ମାତ୍ର ସେମାନଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ସୁଯୋଗ ଦିଆଯାଇଛି। ଏଥିସହ ୨୦୨୪-୨୦୨୫ ଶିକ୍ଷାବର୍ଷରେ ନୂତନ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ଆବେଦନ ଆରମ୍ଭ ହୋଇଛି। ଆର୍ସିଏଫ୍ସିଇ ଆଇନ ୨୦୦୯ ଓ ରୁଲ୍ସ ୨୦୧୦ ଅନୁଯାୟୀ ୨୦୨୩-୨୦୨୪ରୁ ୨୦୨୭-୨୦୨୮ ଶିକ୍ଷାବର୍ଷ ପାଇଁ ସିଓଆର୍ ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇଛି। ଅଗଷ୍ଟ ୩୧ ତାରିଖ ମଧ୍ୟରେ ସ୍କୁଲ କର୍ତ୍ତୃପକ୍ଷ ପ୍ରାଇଭେଟ୍ ମ୍ୟାନେଜ୍ମେଣ୍ଟ ପୋର୍ଟାଲ୍ରେ ଆବେଦନ କରିପାରିବେ। ଅକ୍ଟୋବର ୧୬ ତାରିଖ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଅନ୍ଲାଇନ୍ ଯାଞ୍ଚ ରିପୋର୍ଟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଦାଖଲ କରିବେ। ଅକ୍ଟୋବର ୩୧ ତାରିଖ ସୁଦ୍ଧା ନିର୍ଦ୍ଦେଶାଳୟ ପକ୍ଷରୁ ଡିଇଓଙ୍କୁ ଅନୁମତିପତ୍ର ପ୍ରଦାନ ଏବଂ ନଭେମ୍ବର ୧୫ ସୁଦ୍ଧା ଡିଇଓଙ୍କ ପକ୍ଷରୁ ବିଦ୍ୟାଳୟଗୁଡ଼ିକୁ ସିଓଆର ପ୍ରଦାନ କରାଯିବ। ବର୍ତ୍ତମାନ ସ୍କୁଲଗୁଡ଼ିକୁ ୫ବର୍ଷ ଲାଗି ସିଓଆର୍ ପ୍ରଦାନ କରାଯାଉଛି, ଯଦି କୌଣସି ବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ନ ଥିବ ତେବେ ତାହାକୁ ବାତିଲ୍ କରାଯାଇ ସର୍ତ୍ତମୂଳକ ଅନୁମତି ଦିଆଯାଉଥିବା ଜଣାପଡ଼ିଛି । ମାତ୍ର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ାରେ ମୁଖ୍ୟ ଭୂମିକା ତୁଲାଉଥିବା ସ୍କୁଲ ପ୍ରତି ସରକାର ଅଧିକ ଦୃଷ୍ଟି ଦେବା ଆବଶ୍ୟକ । ଭଡ଼ାଘରେ ବା ଆବଶ୍ୟକ ଭିତ୍ତିଭୂମି ନଥିବା ସ୍ଥାନରେ ସ୍କୁଲ ଖୋଲିବା ପାଇଁ ଅନୁମତି ନଦେବା ଦରକାର ।