ଓଡ଼ିଶା 365 (ବ୍ୟୁରୋ): ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ୨୦୨୩ ଦିନିକିଆ ବଶ୍ବକପ୍ । ଏନେଇ ଏବେଠାରୁ ଆଇସିସି ପକ୍ଷରୁ କ୍ରୀଡାସୂଚୀ ମଧ୍ୟ ଘୋଷଣା କରାଯାଇଛି । ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ର ଏହି ମହାକୁମ୍ଭ । ଫାଇନାଲ ମୁକାବିଲା ଆସନ୍ତା ନଭେମ୍ବର ୧୯ରେ ଖେଳାଯିବା ନେଇ ସୂଚନା ରହିଛି । ତେବେ ନୂଆ କ୍ରୀଡା ସୂଚୀ ଅନୁସାରେ ଭାରତ ଓ ପାକିସ୍ତାନ ସମେତ ୯ଟି ମୁକାବିଲାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆସନ୍ତା ଅକ୍ଟୋବର ୧୫ତାରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍କୁ ଅକ୍ଟୋବର ୧୪ରେ ଖେଳାଯିବା ନେଇ ସ୍ଥିର ହୋଇଛି ।
ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଏହି ମ୍ୟାଚ୍କୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । କିନ୍ତୁ ଏସବୁ ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯାହାକି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ କରିଦେବ । ଏବେଠାରୁ ଅହମ୍ମଦାବାଦ୍ରେ ହୋଟେଲ ରୁମ୍ ବୁକିଂ ରେକର୍ଡ ହୋଇଛି । ଏହାସହିତ ହୋଟେଲ୍ ରୁମ୍ ସବୁ ଚଢା ଦାମ୍ରେ ମଧ୍ୟ ବୁକିଂ ହେଉଛି । 5ଷ୍ଟାର ହୋଟେଲରେ ଗୋଟିଏ ରୁମ୍ର ଭଡ଼ା ୨୦ ହଜାରରୁ ୨.୫ ଲକ୍ଷ ପର୍ଯ୍ୟନ୍ତ ରହିଛି । ଯିଦ କେହି ଯାତ୍ରୀ ଦୁଇ ଦିନ ଏହି ହୋଟେଲରେ ରହିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡିବ ।
ହୋଟେଲ ବ୍ୟତୀତ ବିମାନ ଯାତ୍ରା ଟିକେଟ୍ ଦାମ ମଧ୍ୟ ବଢିଛି ବୋଲି ଚର୍ଚ୍ଚା ହେଉଛି । ୧୩ ଏବଂ ୧୫ ଅକ୍ଟୋବରରେ ମୁମ୍ବାଇ ଏବଂ ଦିଲ୍ଲୀରୁ ଅହମ୍ମଦାବାଦ ଯିବାକୁ ଥିବା ବିମାନର ଦାମ୍ ବଢିଯାଇଛି । ପ୍ରତି ଟିକେଟ୍ର ଦାମ୍ ୧୦ ହଜାରରୁ ୨୫ ପର୍ଯ୍ୟନ୍ତ ରହିଛି । ପୂର୍ବରୁ ଏହି ଟିକେଟ୍ର ଦାମ ୫ ହଜାର ଟଙ୍କା ଥିଲା । ଆଗକୁ ମଧ୍ୟ ଆହୁରି ବଢିପାରେ ଟିକେଟ୍ର ଦାମ୍ ।