ଓଡ଼ିଶା 365 (ବ୍ୟୁରୋ): ବାହାନଗା ରେଳ ଦୁତର୍ଘଟଣାକୁ ବିତିଛି ପୁରା ୭୪ ଦିନ । ହେଲେ ଏବେବି ୨୯ଟି ମୃତ ଦେହକୁ ମିଳି ପାରିନି ପରିଚୟ । ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ । ତେବେ ଏନେଇ ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ । ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି ।ଏହା ପୂର୍ବରୁ ଯିଏ ଆସିଛନ୍ତି ତାଙ୍କର ରକ୍ତ ନମୁନା ସଂଗ୍ରହ କରି ରଖାଯାଇଛି । ତେବେ ମୃତଦେହ ଗୁଡିକୁ ଏଠି ସମ୍ପର୍କୀୟ ଆସିବା ଯାଏଁ ଅପେକ୍ଷା କରାଯିବ ନା କୌଣସି ଶିକ୍ଷା ଉଦ୍ଦେଶ୍ୟରେ ଏହାକୁ ରଖାଯିବ କିମ୍ବା ଗଣ ଶବ ଦାହ କରାଯିବ ସେ ନେଇ ନିଷ୍ପତି ଉଭୟ ରେଳ ଓ ରାଜ୍ୟ ପ୍ରଶାସନ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।
ଉଭୟ ରେଳ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି । ସେହି ମୃତଦେହଗୁଡିକୁ ଏବେ ବି ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନର୍ ଭିତରେ ସୁରକ୍ଷିତ ରଖାଯାଇଛି । ବାରମ୍ବାର ସମ୍ପର୍କିୟମାନଙ୍କୁ ଏମ୍ସ ଆସି ଡିଏନଏ ସାମ୍ପଲ ଦେବାକୁ ଅନୁରୋଧ କରିବା ପରେ ବି ସମସ୍ୟା ପୁରା ଟଳିନି । ପୂର୍ବରୁ ମଧ୍ୟ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ପୁଣି ଥରେ ଅନୁରୋଧ କରିଛନ୍ତି ଯଦି କାହାରି ପରିବାରରୁ କେହି ନିଖୋଜ ଅଛନ୍ତି, ତେବେ ସେମାନେ ଏମ୍ସରେ ଆସି ଡିଏନଏ ପରୀକ୍ଷା ପାଇଁ ଦେଇପାରିବେ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି ।