ଓଡ଼ିଶା 365 (ବ୍ୟୁରୋ): ଦୁଇଦିନିଆ ଓଡିଶା ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି । ଖବର ଅନୁଯାୟୀ, କେନ୍ଦ୍ର ଅର୍ଥମନ୍ତ୍ରୀ ପୁରୀ ଜିଲ୍ଲା ବୀର୍ ହରେ କୃଷ୍ଣପୁରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ ।
ପୁରୀରେ ରାତି ରହଣୀ ସହ ଗୁରୁବାର ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ଏହାପରେ ପୁରୀର ପେଣ୍ଠକଟା ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମିଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବୃକ୍ଷରୋପରଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ବୀରହରେକୃଷ୍ଣପୁରସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ଭୁବନେଶ୍ୱର ଫେରି ଆସିବେ । ଗୁରୁବାର ଅପରାହ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରଠାରେ କୁଇ ଓ ଦେଶୀୟ ଭାଷା ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିବେ ଓ ପ୍ରାୟ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହଠାରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ । ଗୁରୁବାର ରାତିରେ ନୂଆଦିଲ୍ଲୀ ଫେରିଯିବେ ।