ଓଡ଼ିଶା 365 (ବ୍ୟୁରୋ): ଅଧିକ ରୋଜଗାର ବଢାଇବାକୁ ଏବେ ଚୋରା ମଦ ବେପାରକୁ ଆଶ୍ରା କରୁଛନ୍ତି ଅସାଧୁ । ଯାହା ଏବେ ଗାଁ ଗାଁକୁ ବି ମାଡ଼ିସାରିଲାଣି। ପୋଲିସକୁ ମାସିକିଆ ଚାନ୍ଦା ଦେଇ ଏହି ବେପାରକୁ ଆହୁରି ସୁଗମ କରୁଛନ୍ତି ଏହି ଅସାଧୁ ବେପାରି। ଏନେଇ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ବାଲେଶ୍ବର ନୀଳଗିରି ଅଞ୍ଚଳରେ ମଧ୍ୟ ଦିନକୁ ଦିନ ଚୋରା ମଦ ବେପାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ନୀଳଗିରିରେ ନୂତନ କରି ରେଳ ଷ୍ଟେସନ ନିର୍ମାଣ ହେଉଥିବାବେଳେ ତାହା ମଦ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଖୁଲମଖୁଲ୍ଲା ଭାବେ ଏଠାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି । ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ପୋଲିସକୁ ଅବଗତ କରାଯାଉଛି , ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଫଳରେ ଏମାନେ ନିର୍ଭୟରେ ଏସବୁ କାରବାର କରୁଛନ୍ତି । କିନ୍ତୁ ଗତକାଲି ଏମିତି କିଛି ଖବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ କାନରେ ପଡିଥିଲା ।
ଗତକାଲି ସାଂସଦ ପ୍ରତାପ ଷଡଙ୍ଗୀ ନିଜ ଗାଁକୁ ଫେରିବା ବେଳେ ଉକ୍ତ ସ୍ଥାନକୁ ଯାଇଥିଲେ । ସାଂସଦଙ୍କୁ ଦେଖି ଉଭୟ ମଦ ବେପାରୀ ଓ ଗ୍ରାହକ ଛତ୍ରଭଙ୍ଗ ଦେଇଥିଲେ । ହେଲେ କିଛି ଲୋକ ଯାଇନପାରି ଧରାପଡିଯାଇଥିଲେ । ଫଳରେ ସେମାନଙ୍କୁ ସାଂସଦ ତାଗିଦ୍ କରିଥିଲେ । ଏବଂ କିଛି ଲୋକଙ୍କୁ କାନ ଧରି ଉଠବସ୍ କରାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପୋଲିସ ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା।