ଓଡ଼ିଶା 365 (ବ୍ୟୁରୋ): ରାଜ୍ୟର ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଏବେ ଘାରିଛି କୁମ୍ଭୀର ଭୟ। କୁମ୍ଭୀର ବଂଶ ବୃଦ୍ଧି ପାଇଁ କେତେ କ’ଣ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଭିତରକନିକା ଠାରୁ ଆରମ୍ଭ କରି ଟିକରପଡ଼ା ପର୍ଯ୍ୟନ୍ତ କୁମ୍ଭୀର ପ୍ରଜନନ କେନ୍ଦ୍ର କରି ଏହି ବିରଳ ପ୍ରଜାତିକୁ ବଢ଼ାଇବା ପାଇଁ ପ୍ରୟାସ କରୁଛନ୍ତି । ହେଲେ ସେହି କୁମ୍ଭୀର ମାନେ ଏବେ ଲଦୀକୂଳିଆ ଲୋକଙ୍କ ନିଦ ହଜେଇ ସାରିଲାଣି। କିଛିଦିନ ତଳେ କେମିତି ପଟ୍ଟାମୁଣ୍ଡାଇ ନିମପୁର ବ୍ରାହ୍ମଣୀ ନଦୀକୂଳରୁ ମା’ ପାଖରୁ ଟାଣିନେଇ ୮ବର୍ଷର ବାଳକକୁ କୁମ୍ଭୀର ଖାଇଦେଇଥିଲା ସେକଥା ସମସ୍ତଙ୍କୁ ମ୍ରିୟମାଣ କରିଥିଲା । କେନ୍ଦ୍ରାପଡ଼ା ରାଜନଗରରେ ଜଣେ ସାଧୁଙ୍କୁ କୁମ୍ଭୀର ଟାଣିନେଇ ଖାଇଦେବା ପରେ କେବଳ ମୁଣ୍ଡ ହିଁ ଉଦ୍ଧାର ହୋଇପାରିଥିଲା । ତେବେ ଆଜି ମଧ୍ୟ ଯାଜପୁର ବରୀ ବ୍ଲକ ପାଲଟପୁର ଗାଁରୁ ଆସିପରି ଆଉ ଏକ ଦୁଃଖଦ ଖବର। ଉକ୍ତ ଗାଁର ଅନାମ ଜେନାଙ୍କ ପତ୍ନୀ ନଦୀକୁ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ ଟାଣି ନେଇଛି କୁମ୍ଭୀର । ମାତ୍ର କିଛି ମିନିଟ୍ ଭିତରେ ଝୁଣି ଝୁଣି ଶରୀରର ତିନି ଚତୁର୍ଥାଂଶ ଖାଇଦେଇଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ଜୋସ୍ନା ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଜୋସ୍ନାଙ୍କ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବିରୂପା ନଦୀରେ କୁମ୍ଭୀର ଥିବା ନେଇ ବନ ବିଭାଗକୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରଯାଇ ନାହିଁ। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକମାନଙ୍କୁ ସଚେତନା କରାଯାଇନାହିଁ କି ନଦୀକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇନାହିଁ।