ଓଡ଼ିଶା 365 (ବ୍ୟୁରୋ) : ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ଶ୍ରୀ ବାଜପେୟୀ କ୍ରମାଗତ ଭାବେ ଦୁଇ ଥର ଜନସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ । ଜଣେ ଧୂରୀଣ ସାଂସଦ ଭାବେ ଶ୍ରୀ ବାଜପେୟୀଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ କାଳ ବ୍ୟାପ୍ତ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବାବେଳେ, ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ ।
ତେବେ ରାଜନୀତିର ଅଜାତଶତ୍ରୁ କୁହାଯାଉଥିବା ବାଜପେୟୀଙ୍କ ଆଜି ପଂଚମ ପୁଣ୍ୟତିଥି । ଏହି ଅବସରରେ ସାରା ଦେଶ ଅଟଳ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ନୂଆଦିଲ୍ଲୀ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ପାଳନ କରାଯାଇଛି । ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାଜପେୟୀଙ୍କ ଜନ୍ମ ୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ହୋଇଥିଲା । ୨୦୧୮ ଅଗଷ୍ଟ ୧୬ରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା ।