ନ୍ୟୁଜ୍ 365(ବ୍ୟୁରୋ): ବନ୍ଦ ରହିଛି ସେୟାର ବଜାରରେ ଟ୍ରେଡିଂ । ସ୍ୱାଧୀନତା ଦିବସ ନିମନ୍ତେ ସେୟାର ବଜାରରେ ଟ୍ରେଡିଂ ଆଜି ବନ୍ଦ ରହିଛି । ତେବେ ସୋମବାର ବ୍ୟବସାୟ କାଳରେ ଗୌତମ ଆଦାନୀ ସମୂହଙ୍କ ସେୟାର ମୂଲ୍ୟ ପୁଣି ହ୍ରାସ ହୋଇଛି। ଆଦାନୀ ପୋର୍ଟ କମ୍ପାନୀରୁ ଅଡିଟର ଭାବେ ଡେଲୟଟରଙ୍କ ଇସ୍ତଫା ପରେ ସୋମବାର ସେୟାର ବଜାରରେ ଆଦାନୀ ସମୂହଙ୍କ ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଡେଲୟଟ ଇସ୍ତଫା ଦେବା ପୂର୍ବରୁ ହିଣ୍ଡନବର୍ଗ ରିସର୍ଚ୍ଚଙ୍କ ଅଭିଯୋଗ ଘେରରେ ଥିବା କେତେକ ନେଣଦେଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।
ଡିଲୟଟଙ୍କ ଇସ୍ତଫା ପରେ ସୋମବାର ହୋଇଥିବା ପ୍ରଥମ କାରବାରରେ ଅମ୍ବୁଜା ସିମେଣ୍ଟ ସେୟାର ମୂଲ୍ୟରେ ୩.୪୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ମୂଲ୍ୟରେ ୩.୨୬, ଆଦାନୀ ଟ୍ରାନ୍ସମିସନର ୨.୬୯ ଏବଂ ଏସିସି ସେୟାର ମୂଲ୍ୟ ୨.୨୭ ପ୍ରତିଶତ ତଳକୁ ଖସିଥିଲା। ସେହିପରି ଆଦାନୀ ଗ୍ରିନ ଏନର୍ଜୀର ସେୟାର ୨.୦୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ଆଦାନୀ ୱିଲମରରେ ୧.୯୬ ପ୍ରତିଶତ, ଆଦାନୀ ଟୋଟଲ ଗ୍ୟାସ୍ରେ ୧.୮୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।
ଆଦାନୀ ପୋର୍ଟସ୍ରେ ୧.୬୬ ପ୍ରତିଶତ, ଏନଡିଟିଭି ସେୟାର ମୂଲ୍ୟରେ ୧.୩୭ ପ୍ରତିଶତ ଓ ଆଦାନୀ ପାୱାର ସେୟାରରେ ୦.୭୮ ପ୍ରତିଶତର ହ୍ରାସ ଦେଖାଦେଇଛି। ସେୟାର ମୂଲ୍ୟରେ ଏପରି ହ୍ରାସ ଯୋଗୁ ନିବେଶକଙ୍କୁ ଗୋଟିଏ ବ୍ୟବସାୟୀକ ଅଧିବେଶନରେ ୨୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।
ଆଦାନୀ ପୋର୍ଟସ୍ ଏଣ୍ଡ ସ୍ପେଶାଲ ଇକୋନମିକ ଜୋନ ଡିଲୟଟର ଇସ୍ତଫା ପୁଷ୍ଟି କରି ଏମଏସକେଏ ଆଣ୍ଡ ଆସୋସିଏଟସ୍ ଙ୍କୁ ନୂଆ ଅଡିଟର ନିଯୁକ୍ତି କରିଥିବାର ଘୋଷଣା କରିଛନ୍ତି । ହିଣ୍ଡନବର୍ଗ ରିସର୍ଚ୍ଚ ଗତ ଜାନୁୟାରୀରେ ଆଦାନୀ ବିରୋଧରେ ସେୟାର ମୂଲ୍ୟରେ ହେରଫେର କରିବା ଓ ଖାତାରେ ଗଡବଡ଼ କରିବାର ଅଭିଯୋଗ କରିଥିଲା । ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ସେୟାର ବଜାରରେ ଟ୍ରେଡିଂ ବାରମ୍ବାର ହ୍ରାସ ପାଇବାରେ ଲାଗିଛି ।