ଓଡ଼ିଆ 365 (ବ୍ୟୁରୋ): ବାପା ଶବ୍ଦ ଭୁଲିଯାଇ ଅମାନୁଷିକ ଭାବରେ ଜୀବନରୁ ମାରିଦେବା ଉଦ୍ୟମ କରିବା ସହ ଗାଁ ମଝିରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଲା ବଡ଼ ପୁଅ। ଯେଉଁ ବାପା ଦିନେ ପୁଅକୁ କୋଳେଇ କାଖେଇ ବଡ଼ ମଣିଷ କରିଥିଲା ସେହି ପୁଅ ଆଜି ସାମାନ୍ୟ କେଇଟା ଟଙ୍କା ପାଇଁ ପାଲଟିଗଲା ନୃଶଂସ ମଣିଷ। ଆଉ ବାପାକୁ ଜୀବନକୁ ମାରିବା ପାଇଁ ଟିକିଏ ମଧ୍ୟ ବିବେକ ବାଧା ଦେଲା ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଉଦିଆପଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ବଉଦିଆପଡ଼ା ଗ୍ରାମର ବୃଦ୍ଧ ବାପ କୀର୍ତ୍ତନ ସାହୁ ଘରେ ଏକୁଟିଆ ଥିବା ବେଳେ ଦୀର୍ଘ ବର୍ଷ ହେଲା ରାଉଲକେଲାରେ ରହୁଥିବା ତାଙ୍କ ବଡ଼ ପୁଅ ନିଳାମ୍ବର ସାହୁ ହଠାତ୍ ଘରେ ପହଞ୍ଚି ବୃଦ୍ଧବାପା କୀର୍ତ୍ତନ ସାହୁଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ। ମୁଁ କେଉଁଠୁ ପାଇବି ବୋଲି କହିବାରୁ ହଠାତ୍ ହାତ ମୋଡ଼ିବା ସହ ତଣ୍ଟିଚିପି ମାରିବା ପାଇଁ ଉଦ୍ୟମ କରିବାରେ ବିଫଳ ହେବାରୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲା ଅଭିଯୁକ୍ତ ବଡ଼ ପୁଅ। ବୃଦ୍ଧ ବାପା ଜଣକ ଚିତ୍କାର କରିବାରୁ ପଡିଶା ଲୋକ ଉଦ୍ଧାର କରିଥିଲେ।
ଘଟଣା ସମ୍ବନ୍ଧରେ ବୃଦ୍ଧ ବାପା ଜଣକ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଆସୁଥିବା ବେଳେ ନୃଶଂସ ବଡ଼ ପୁଣି ମାଡ଼ ମାରି ନାଳରେ ପକାଇ ଦେଇଥିଲା। କୌଣସି ସୂତ୍ରରୁ ବାଉଁଶୁଣି ପୋଲିସ୍ ଖବରପାଇ ବୃଦ୍ଧଙ୍କୁ ଅଚେତ୍ ଅବସ୍ଥାରେ ଉକ୍ତ ନାଳରୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ବାଉଁଶୁଣି ପୋଲିସ୍ ଅଭିଯୁକ୍ତ ବଡ଼ପୁଅକୁ ଗିରଫ କରିବା ସହ IPC ଧାରା ୩୪୧/୨୯୪/୩୨୩/୩୦୭/୫୦୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ନିଳାମ୍ବର ସାହୁକୁ କୋର୍ଟ ଚାଲାଣ କରିଥିବା ବାଉଁଶୁଣି ଥାନା ଅଧିକାରୀ ଅରୁଣ ସିଂ ସୂଚନା ଦେଇଛନ୍ତି।