ଓଡ଼ିଶା 365 (ବ୍ୟୁରୋ): ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ଉଦବୋଧନ ଦେଇ ମଧ୍ୟବିତ୍ତ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, “ଦେଶକୁ ଆଗକୁ ନେଇଯିବାର ଗୋଟିଏ ମୂଳ କଥା ହେଉଛି ମହିଳା ନେତୃତ୍ୱାଧୀନ ବିକାଶ। ଆଜି ଆମେ ଗର୍ବର ସହିତ କହିପାରିବା ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତରେ ସର୍ବାଧିକ ମହିଳା ପାଇଲଟ୍ ଅଛନ୍ତି। ମହିଳା ବୈଜ୍ଞାନିକମାନେ ଚନ୍ଦ୍ରଯାନ ମିଶନକୁ ଆଗେଇ ନେଉଛନ୍ତି। ଜି -୨୦ ଦେଶଗୁଡ଼ିକ ମଧ୍ୟ ଏହାର ଗୁରୁତ୍ୱକୁ ସ୍ବୀକାର କରିଛନ୍ତି’’ ବୋଲି ମୋଦୀ କହିଛନ୍ତି।
ଲାଲକିଲ୍ଲାରେ ନିଜର ଅଭିଭାଷଣ ବେଳେ ମଣିପୁରରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ସେ କହିଛନ୍ତି, “ମଣିପୁରର ଲୋକଙ୍କ ସହ ଦେଶ ଛିଡ଼ା ହୋଇଛି। କେବଳ ଶାନ୍ତି ବଜାୟ ରଖି ହିଁ ସମାଧାନ ମିଳିପାରିବ। ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି।”
ସେ ମଣିପୁର ହିଂସା ନେଇ ଆହୁରି ବି କହିଛନ୍ତି ଯେ ‘କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଶାନ୍ତି ଅଛି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛି। ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ।’