ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ୭୭ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ । ଏହା ସହ ସେ କହିଛନ୍ତି ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମ ବିଶ୍ୱାସ ବୃଦ୍ଧି କରିଛି । ଚନ୍ଦ୍ରଯାନ-୩ ସ୍ପେସ ରିସର୍ଚ୍ଚ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି । ଓଡ଼ିଶା ଆଜି ରୁପାନ୍ତର ଯୁଗରେ ପହଞ୍ଚିଛି । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, , ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରୁଛି । ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମିର ବିକାଶ ହୋଇଛି। ଅର୍ଥନୀତିରେ ସମୃଦ୍ଧ ହୋଇଛି। ଗରିବୀ କମିଛି, ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ହୋଇଛି। ବ୍ୟାଙ୍କ ନ ଥିବା ୩,୩୭୩ ପଞ୍ଚାୟତରେ ବ୍ୟାଙ୍କିଂ ଆଉଟଲେଟ ଖୋଲିବ। ମଧୁବାବୁ ପେନ୍ସନ ଯୋଜନାରେ ଆଉ ୪ ବର୍ଗ ସାମିଲ କରାଯାଇଛି। ଆଜିଠାରୁ ନୂଆ ହିତାଧିକାରୀମାନେ ଏହି ସୁବିଧା ପାଇବେ।
ଏସଏଚ୍ଜି ମହିଳାଙ୍କ ଉପରେ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ, କହିଛନ୍ତି- ବିଏସ୍କେୱାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହୋଇଛି। ଏସଏଚ୍ଜି ଆଜି ମାଆ ମାନଙ୍କ ବିକାଶର ଇଞ୍ଜିନ ହୋଇଛି। ତେବେ ଚାଷୀର ସ୍ୱାର୍ଥ ସବୁବେଳେ ଫୋକସ୍ରେ ରହିଛି। ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା। ଏକ ସମୃଦ୍ଧ ଓଡ଼ିଶା ଓ ରୂପାନ୍ତରିତ ଓଡ଼ିଶା ପାଇଁ ସଂକଳ୍ପ ନେବା। ନୂଆ ଓଡ଼ିଶା ଯୋଜନାରେ ବର୍ଷକୁ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ।