ନ୍ୟୁଜ୍ 365(ବ୍ୟୁରୋ): ଦୁନିଆକୁ ବୁଝିବା ଆଗରୁ ଲିଭିଯାଇଥିଲା ଜୀବନ ଦୀପ। ସୂର୍ଯ୍ୟଙ୍କ ତୀର୍ଜକ ରଶ୍ମିରେ ସେ ଦାଉଦାଉ ହୋଇ ଜଳିବା ପୂର୍ବରୁ ତାଙ୍କୁ ଢାଙ୍କି ଦେଇଥିଲା ଚନ୍ଦ୍ର। ସଂଗ୍ରାମର ସଂଜ୍ଞା ବୁଝିବା ପୂର୍ବରୁ ସେ ପାଲଟିଯାଇଥିଲେ ସଂଗ୍ରାମୀ। ମାତ୍ର ୧୨ବର୍ଷ ବୟସରେ ସହିଦ ହୋଇଥିଲେ ସ୍ୱାଧୀନତାର ବାଜିଗର, ବିଶ୍ବର ସର୍ବକନିଷ୍ଠ ସହିଦ, ଓଡ଼ିଆ ପୁଅ ବାଜି ରାଉତ। ଯାହାଙ୍କୁ ସମସ୍ତେ ସ୍ନେହରେ ଡାକନ୍ତି ବାଜିଆ ବୋଲି। ଦେଶ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ମନେ ପଡ଼େ ବାଜି ରାଉତଙ୍କ କଥା। ଇଂରେଜମାନେ ଭୁବନରେ ଦମନ ଲୀଳା ରଚିବା ପରେ ଅଗ୍ରସର ହୋଇଥିଲେ ନୀଳକଣ୍ଠପୁର ଘାଟ ଅଭିମୁଖେ। ସେତେବେଳେ ଜୋରସୋରରେ ଚାଲିଥିଲା ପ୍ରଜାମେଳି । ଭୁବନରୁ ଖବର ଗଲା ପିରିଙ୍ଗି ଯାଉଛନ୍ତି, ଯେମିତି ସେମାନେ ନଦୀ ପାର ନହୁଅନ୍ତି।
କିଛି ସମୟ ପରେ ଇଂରେଜମାନେ ନଦୀ ପାର ହେବାକୁ ୧୨ବର୍ଷର ବାଳକକୁ ଡାକିଥିଲେ । ମାତ୍ର ଡଙ୍ଗାପାର କରିବାକୁ ରୋକଠୋକ ମନା କରିଦେଇଥିଲେ ବାଜି ରାଉତ । ଘାଟ ଜଗିଥିବା ବାଜି ରାଉତ ଜାଣିଥିଲା ଏମାନେ ମୋ ମାଆ ଉପରେ ଅତ୍ୟାଚାର କରୁଛନ୍ତି। ବାଜି ରାଉତ ମନା କରିବାକୁ ଇଂରେଜଙ୍କ ମୁଣ୍ଡକୁ ଚଢି ଯାଇଥିଲା ରାଗ। ଏଥିପାଇଁ ସେମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ, ମାତ୍ର ଏହାର କାଣିଚାଏ ପ୍ରଭାବ ପଡିନଥିଲା ବାଜିଆଙ୍କ ଉପରେ। ଇଂରେଜଙ୍କ ଧମକକୁ ଖାତିର ନକରି ସେ ପୁର୍ନବାର ତାଙ୍କୁ ନଦୀର ଆରପାରିକୁ ନେବାକୁ ମନା କରିଦେଇଥିଲେ।
ବାଜିଆର ଏଭଳି ସାହସ ଦେଖି ଆହୁରି ରାଗି ଯାଇଥିଲେ ଇଂରେଜ ଆଉ ଚଳଆଇଥିଲେ ଗୁଳି । ଇଂରେଜ ଗୁଳିରେ ସହିଦ ହୋଇଯାଇଥିଲେ ୧୨ବର୍ଷର ବାଳକ ବାଜି ରାଉତ। ରକ୍ତରେ ଲାଲ୍ ହୋଇପଡ଼ିଥିଲା ଢେଙ୍କାନାଳ ଭୁବନ ନୀଳକଣ୍ଠପୁରର ବ୍ରାହ୍ମଣୀ ନଦୀ। ସେଦିନ ଥିଲା ୧୯୩୮ମସିହା ଅକ୍ଟୋବର ୧୧ ତାରିଖ, ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିଛି।
ପିଢି ପରେ ପିଢି ସଭିଙ୍କୁ ଦେଉଛି ତାଙ୍କ ବୀରତ୍ୱର ପ୍ରେରଣା। ବାଳୁତ ସମୟରୁ ହିଁ ପ୍ରଜାମଣ୍ଡଳର ବାନର ସେନାରେ ଯୋଗଦେଇ ଦେଶସେବା ପାଇଁ ମନ ବଳାଇଥିଲେ ସେ । ଦେଶପ୍ରେମ ହିଁ ତାଙ୍କୁ ଟାଣିଆଣିଥିଲା ଇଂରେଜଙ୍କ ବିରୋଧରେ ଲଢେଇ କରିବା ପାଇଁ। ଢେଙ୍କାନାଳବାସୀ ତାଙ୍କ ସାହାସକୁ ନେଇ ଆଜି ବି ଗର୍ବ କରନ୍ତି। ‘ବାଜି ରାଉତ’ଙ୍କ ପରି ଭାରତରେ ଅନେକ ସ୍ୱାଧୀନତା ସଂଗ୍ରାମରେ ପ୍ରାଣ ହରାଇଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଗାଥା ଯୁବପିଢୀଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇ ଆସୁଛି ଦେଶମାତୃକାର ସେବା କରିବା ପାଇଁ । ବାଜି ରାଉତ ସିନା ଇଂରେଜଙ୍କ ଗୁଳିରେ ସହିଦ ହୋଇଯାଇଥିଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ହାର ମାନିନଥିଲେ କିମ୍ବା ଡରିଯାଇନଥିଲେ। ଅତି ଅଳ୍ପ ବୟସରେ ଇଂରେଜଙ୍କ ଆଗରେ ସେ ଯେଉଁ ସାହସ ଦେଖାଇଥିଲେ ତାହା ପ୍ରମାଣିତ କରୁଛି ଦେଶ ମାତୃକା ପ୍ରତି ଥିବା ତାଙ୍କ ଭଲପାଇବା। ତାଙ୍କ ଅସୀମ ସାହସ,ତ୍ୟାଗ ଓ ବଳିଦାନକୁ ଆଜି ବି ସଲାମ କରୁଛି ଏହି ବୀର ମାଟି ।