ଓଡ଼ିଶା365(ବ୍ୟୁରୋ): ସ୍ୱାଧୀନତା ଦିବସରେ ଦେଶର ମୋଟ୍ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ବୀରତା ପାଇଁ ସିଆରପିଏଫର ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍ ଇବୋମଚା ସିଂ ରାଷ୍ଟ୍ରପତି ପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି । ସେହିପରି ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ଏବଂ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି । ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ମାଓପ୍ରବଣ ଅଞ୍ଚଳରେ କାର୍ଯ୍ୟରତ । ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣଙ୍କୁ ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ ପଦକ ପ୍ରଦାନ କରାଯିବ। ସାହସିକତା ପୁଲିସ ପଦକ ପାଉଥିବା କର୍ମୀଙ୍କ ମଧ୍ୟରେ ୨୮ ଜଣ ସିଆରପିଏଫ, ୩୩ ଜଣ ମହାରାଷ୍ଟ୍ର ପୁଲିସ କର୍ମୀ, ୫୫ ଜଣ ଜାମ୍ମୁକାଶ୍ମୀର ପୁଲିସ କର୍ମୀ, ୨୪ ଜଣ ଛତିଶଗଡ଼, ୨୨ ଜଣ ତେଲଙ୍ଗାନା, ୧୮ ଜଣ ଆନ୍ଧ୍ରପ୍ରଦେଶ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର କର୍ମୀ ରହିଛନ୍ତି ।
ବୀରତା ପାଇଁ ଜଣେ ସିଆରପିଏଫ କର୍ମୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ, ବିଶିଷ୍ଟ ସେବା ପାଇଁ ୮୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୬୬୨ ଜଣଙ୍କୁ ମିଳିବ ପୁଲିସ ପଦକ। ଓଡ଼ିଶାରୁ ୪ ପୁଲିସ କର୍ମୀଙ୍କୁ ମିଳିବ ସାହସିକତା ପୁଲିସ ପଦକ ।ବିଶିଷ୍ଟ ସେବା ପାଇଁ ୨ ଜଣ ପାଇବେ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପୁଲିସ ପଦକ ମିଳିବ।