ଓଡ଼ିଶା365(ବ୍ୟୁରୋ): ଭାରତ ପାକିସ୍ତାନ ବିଭାଜନକୁ ନେଇ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସବୁଠୁ ଅଧିକ ଦୋଷ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀ ଭାବରେ ନେହରୁଙ୍କର କିଛି ନିଷ୍ପତ୍ତିକୁ ସମସ୍ତେ ସମାଲୋଚନା କରନ୍ତି । ତାଙ୍କର ବିଫଳତା ପାଇଁ ଭାରତ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି । ପ୍ରଥମତଃ କାଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ ଦାୟୀ କରାଯାଏ । ତାଙ୍କର ନିଷ୍ପତ୍ତି ପାଇଁ କାଶ୍ମୀର ସମସ୍ୟା ସମାଧାନ ହୋଇପାରିନାହିଁ। ବିଭାଜନ ପରେ ପାକିସ୍ତାନ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ଆକ୍ରମଣ କରିଥିଲା। ଭାରତୀୟ ସେନା ପାକିସ୍ତାନୀକୁ ହଟାଇବା ପାଇଁ ଯାଉଥିବା ବେଳେ ନେହେରୁ ମିଳିତ ଜାତିସଂଘ ନିକଟକୁ ଯାଇଥିଲେ। ଯାହାର ସମାଧାନ ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ଚୀନ୍ ସହିତ ବିବାଦକୁ ଏଡ଼ାଇବା ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନେବା ପାଇଁ ଆମେରିକା ଚାହୁଁଥିଲା । ଏହାକୁ ମଧ୍ୟ ମନା କରିଦେଇଥିଲେ ନେହେରୁ ।
ପଡୋଶୀ ଶତ୍ରୁଙ୍କୁ ସାମ୍ନା କରିବା ପାଇଁ ନେହେରୁ ସେନାକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରିନଥିଲେ । ଯାହା ଫଳରେ ଭାରତ–ଚୀନ ଯୁଦ୍ଧ ବେଳେ ୩ ହଜାର ୨୫୦ରୁ ଅଧିକ ଭାରତୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଚୀନ୍ ଦ୍ୱାରା କବଜା ହୋଇଥିବା ଭାରତର ପ୍ରାୟ ୪୩ ହଜାର ବର୍ଗ କିଲୋମିଟର ଜମିକୁ ଚୀନ ନେଇଯାଇଥିଲା । ନେହରୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାରା ଭାରତରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ପଦକ୍ଷେପ ନେଇନଥିଲେ। ଯାହା ଫଳରେ ଦେଶରେ ନିରକ୍ଷରତା ବୃଦ୍ଧି ପାଇଥିଲା । ତାଙ୍କର ଜୀବନୀ ଲେଖିଥିବା ଜୁଡିଥ୍ ବ୍ରାଉନ୍ ଏହାକୁ ତାଙ୍କର ସବୁଠାରୁ ବଡ଼ ବିଫଳତା ବୋଲି କହିଛନ୍ତି। ସେହିପରି ସ୍ବାସ୍ଥ୍ୟସେବାରେ ଭାରତ ବହୁ ପଛରେ ପଡିଯାଇଥିଲା । ମୁକ୍ତ ବଜାର ପରିବର୍ତ୍ତେ ସମାଜବାଦକୁ ପସନ୍ଦ କରୁଥିଲେ ନେହରୁ ।
ପାରମ୍ପାରିକ ଭାବରେ, ବାଣିଜ୍ୟ ଏବଂ ଘରୋଇ ଉଦ୍ୟୋଗ ଉପରେ ନିର୍ମିତ ଭାରତ ସର୍ବଦା ଏକ ମୁକ୍ତ ବଜାର ଅର୍ଥନୀତି ଥିଲା। ତେବେ ନେହରୁ ଏହାକୁ ପ୍ରୋତ୍ସାହନ ଦେଇନଥିଲେ। ଋଷ ଏବଂ ଚୀନର ବଜାର ନୀତିକୁ ସେ ଅନୁସରଣ କରୁଥିବାରୁ ଏହାର ପ୍ରଭାବ ଭାରତର ଅର୍ଥନୀତି ଉପରେ ପଡ଼ିଥିଲା । ନେହରୁ ଆମେରିକା ସହ ସଂପର୍କକୁ ଏଡାଇଥିଲେ । ଆମେରିକା ଏସିଆରେ ବନ୍ଧୁ ଖୋଜୁଥିବା ବେଳେ ନେହରୁ ଏହାକୁ ଅଣଦେଖା କରିଥିଲେ । ଯାହା ଫଳରେ ଆମେରିକା ପାକିସ୍ତାନ ସହିତ ହାତ ମିଳାଇଥିଲା । ଏହାର ଲାଭ ପାକିସ୍ତାନ ନେଇଥିଲା ।
ନେପାଳର ରାଜା ବିକ୍ରମ ଶାହା ନେପାଳକୁ ଭାରତର ଏକ ପ୍ରଦେଶ କରିବା ପ୍ରସ୍ତାବ ଦେଇଥିଲେ । ଯାହାକୁ ନେହେରୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ନେହରୁ ମଧ୍ୟ ବାଲୁଚିସ୍ତାନ ମିଶ୍ରଣ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ୧୯୬୪ ମସିହାରେ ପରମାଣୁ ଉପକରଣର ବିକାଶରେ ଭାରତକୁ ସାହାଯ୍ୟ କରିବାର ଏକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହାର ଫଳ ଭାରତକୁ ଭୋଗିବାକୁ ପଡିଥିଲା । ନେହରୁଙ୍କ ସମୟରେ ଦୁର୍ନୀତି ବ୍ୟାପିବାରେ ଲାଗିଥିଲା। ଅପରାଧୀମାନେ ଦୁର୍ନୀତି କରିଚାଲିଥିବା ବେଳେ ନେହେରୁ ଦୁର୍ନୀତି ପ୍ରତି ଆଖି ବୁଜି ଦେଇଥିଲେ। ନେହେରୁଙ୍କ ନିକଟତର ଥିବା ଲୋକମାନେ ଦୁର୍ନୀତିରେ ବୁଡିରହୁଥିଲେ। ଦେଶର ବିକାଶରେ ଦୁର୍ନୀତି ବଡ଼ ପ୍ରଭାବ ପକାଇଥିଲା। ଆଉ ନେହରୁ ଚୁପ୍ ରହୁଥିଲେ । ୧୯୪୭ମସିହାରେ ଦେଶ ବିଭାଜନ ସମୟରେ ମଧ୍ୟ ନେହରୁ ଚୁପ୍ ରହିଥିଲେ । ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ନେତୃତ୍ବ ଆଉ କାହାକୁ ଦେବାକୁ ରାଜିନଥିଲେ। ଯାହା ଫଳରେ ଜିନା ପାକିସ୍ତାନ ଦାବି କରି ନେଇଥିଲେ । ଏହିପରି ଦେଖିବାକୁ ଗଲେ ନେହରୁଙ୍କ ଅନେକ ନିଷ୍ପତ୍ତି ଭୁଲ ଥିଲା । ଯେଉଁଥି ପାଇଁ ଭାରତକୁ ଏବେ ବି ବହୁମୂଲ୍ୟ ଦେବାକୁ ପଡୁଛି ।