ନ୍ୟୁଜ୍ 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ ଷ୍ଟାରଙ୍କ କାହାଣୀ । ପ୍ରତ୍ୟେକ ଅଭିନେତାଙ୍କ ସଫଳ ଓ ବିଫଳ ହେବା ପଛରେ ଅନେକ କାହାଣୀ ରହିଛି । ସମସ୍ତେ କ୍ୟାରିୟର ଗଢ଼ିବା ପାଇଁ କଠିନ ପରିଶ୍ରମ କରନ୍ତି । ହେଲେ ଭାଗ୍ୟ ସମସ୍ତଙ୍କୁ ସାଥ୍ ଦେଇନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତାଙ୍କ କାହାଣୀ କହିବୁ ଯିଏ ଗୀତରେ ସଫଳତା ପାଇଥିବାବେଳେ ଅଭିନୟରେ ବିଫଳ ହୋଇଛନ୍ତି । ଖାଲି ଏତିକି ନୁହେଁ ସେ ଗତ ୧୩ ବର୍ଷ ଧରି ସଫଳ ଅଭିନେତା ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରତ୍ୟେକ ଥର ସେ ନିରାଶ ହେଉଛନ୍ତି । ଏହି ସଂଗୀତ ନିର୍ଦ୍ଦେଶକଙ୍କ ନାମ ହେଉଛି ହିମେଶ ରେଶମିଆ । ସେ ଅନେକ ହିଟ୍ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ, ହିମେଶ ଅଭିନୟ ଦୁନିଆରେ ପାଦ ଦେଇଥିବାବେଳେ ସବୁଥର ଫ୍ଲପ୍ ବୋଲି ପ୍ରମାଣିତ ହୋଇଛନ୍ତି । ବଡ କଥା ଯେ ତାଙ୍କର କୌଣସି ବି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇନାହିଁ, କିନ୍ତୁ ସେ ଆଜି ପର୍ୟ୍ୟନ୍ତ ନିଜର ଉଦ୍ୟମ ଜାରି ରଖିଛନ୍ତି।
ହିମେଶ ରେଶମିଆଙ୍କ ହିରୋ ଭାବରେ ପ୍ରଥମ ଚଳଚ୍ଚିତ୍ର ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ‘ଆପକା ସୁରୁର’ ଥିଲା ଯେଉଁଥିରେ ସେ ହଂସିକା ମୋଟୱାନୀଙ୍କ ସହ ଅଭିନୟ କରିଥିଲେ। । ଏଥିରେ ବିଫଳ ହୋଇଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ‘ରେଡିଓ’, ‘କଜରାରେ’, ‘ଦମାଦମ୍’, ‘ଦି ଏକ୍ସପୋଜ୍’, ‘ତେରା ସୁରୁର’, ‘ହାପି ହାର୍ଡି ଆଣ୍ଡ ହିର’ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଅନ୍ୟପକ୍ଷରେ, ହିମେଶ ରେଶମିଆ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ଖିଲାଡି ୭୮୬’ ରେ କାମ କରିଥିଲେ, କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ହିଟ ହୋଇନଥିଲା । ହିମେଶ ରେଶମିଆ ୧୩ ବର୍ଷରେ ପ୍ରାୟ ୯ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଗୋଟିଏ ଫିଲ୍ମ ହିଟ୍ ହୋଇପାରିନି ।