ନ୍ୟୁଜ୍ 365(ବ୍ୟୁରୋ): ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା,ଓଡ଼ିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ,ସେନା ନାୟକ ବକ୍ସି ଜଗବନ୍ଧୁ,ଯାହାଙ୍କର ପୁରା ନାଁ ଥିଲା ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର। ସେ ପାଇକ ବକ୍ସି ନାମରେ ଥିଲେ ପରିଚିତ। ତାଙ୍କ ବୀରତ୍ବ ପଣ ହିଁ ଓଡିଶା ବୀର ମାଟିର ସନ୍ତାନଙ୍କୁ ଇଂରେଜ ବିରୋଧରେ ଲଢିବାକୁ ଦେଇଥିଲା ପ୍ରେରଣା। ପାଇକ ବୀରଙ୍କୁ ଏକତ୍ର କରି ଗରିଲା ଯୁଦ୍ଧ ମାଧ୍ୟମରେ ତାଙ୍କ ରଣକୌଶଳ, ବୀରତ୍ୱର ପରିଚୟ ପ୍ରଦାନ ସେ । ଓଡ଼ିଶାର ସମ୍ମାନ, ସ୍ୱାଭିମାନକୁ ପାଇକ ବିଦ୍ରୋହ ମାଧ୍ୟମରେ ସେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ୧୭୭୩ ମସିହାରେ ଜନ୍ମ ନେଇଥିଲେ ବକ୍ସି ଜଗବନ୍ଧୁ। ସେ ଥିଲେ ଭୋଇବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କର ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କର ଅଷ୍ଟମ ବଂଶଜ। ଖୋର୍ଦ୍ଧା ମହାରାଜା ମୁକୁନ୍ଦ ଦେବଙ୍କର ସେ ଥିଲେ ପ୍ରଧାନ ସେନାପତି। ବଂଶ ପରମ୍ପରା ଅନୁଯାୟୀ ଯୁବାବସ୍ଥାରେ ହିଁ ସେ ‘ବକ୍ସି’ ଉପାଧି ପାଇଥିଲେ । ତାଙ୍କ ବୀରତ୍ବ ଓ ସାହସ ଇଂରେଜ ସରକାରଙ୍କୁ କରିଥିଲା ଥରହର,ତାଙ୍କ ନିସ୍ବାର୍ଥପର ସେବା ଓ ବଳିଦାନ ତାଙ୍କୁ ଆଜି ବି ଅମର କରି ରଖିଛି।
ଇଂରେଜମାନେ ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ ଅକ୍ତିଆର କରିଥିଲେ। ପାଇକଙ୍କର ଜମି ଉପରେ ଉଚ୍ଚ ହାରରେ କର ଧାର୍ଯ୍ୟ ହେଲା, ଫଳରେ ପାଇକମାନେ ତାଙ୍କର ବଂଶାନୁକ୍ରମିକ ବୃତ୍ତିରୁ ବଞ୍ଚିତ ହେଲେ। ଅନେକ ସର୍ବସ୍ୱାନ୍ତ ହୋଇ ନିଜର ଘରଦ୍ୱାର ଛାଡ଼ି ନିକଟବର୍ତ୍ତୀ ରାଜ୍ୟମାନଙ୍କରେ ଆଶ୍ରୟ ନେଲେ । ୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ହତ୍ୟା ମାମଲାରେ ଗିରଫ କଲେ । କୁହୁଳୁଥିବା ବିଦ୍ରୋହାଗ୍ନି ଜଳି ଉଠିଲା । ଖୋର୍ଦ୍ଧାର ପାଇକମାନେ ଏହି ସୁଯୋଗ ନେଇ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ଇଂରେଜମାନଙ୍କର ଅନ୍ୟାୟ ଓ ନିର୍ଯାତନା ବିରୁଦ୍ଧରେ ବିଦ୍ରୋହ କଲେ । ଜଗବନ୍ଧୁଙ୍କର ପରମ ଶତ୍ରୁ ଚରଣ ପଟ୍ଟନାୟକ ତାଙ୍କର କ୍ରୋଧାଗ୍ନିର ପ୍ରଥମ ଶିକାର ହୋଇଥିଲେ । ପାଇକ ବିପ୍ଲବୀମାନେ ତାଙ୍କ ନେତୃତ୍ବରେ ୧୮୧୭ ମସିହାରେ ଫିରିଙ୍ଗି ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।
ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ବିପୁଳ ସଂଖ୍ୟକ ପାଇକ ଲୋକନାଥ ଘାଟ ଦେଇ ପୁରୀରେ ପ୍ରବେଶ କଲେ। ସେମାନେ ବହୁ ସରକାରୀ କୋଠା ଓ କଚେରିରେ ଅଗ୍ନି ସଂଯୋଗ କଲେ। ପୁରୀଠାରେ ଥିବା କର୍ମଚାରୀମାନେ ଭୟରେ କଟକ ପଳାୟନ କଲେ। ସେହି ସମୟରେ ଜଗନ୍ନାଥ ମନ୍ଦିରର ପଣ୍ଡା ଓ ସେବାୟତମାନେ ଓଡ଼ିଶାରୁ ବ୍ରିଟିଶ୍ ଶାସନ ଲୋପ ପାଇଲା ବୋଲି ସର୍ବସାଧାରଣରେ ଘୋଷଣା କଲେ। ହଠାତ୍ ପାଇକ ବିଦ୍ରୋହ ହେବାରୁ ଇଂରେଜ କର୍ତ୍ତୃପକ୍ଷ ବିବ୍ରତ ହୋଇ ପଡ଼ିଲେ । ପାଇକମାନେ ବାଣପୁର ଓ ଖୋର୍ଦ୍ଧାରେ ଥିବା ସବୁ ସରକାରୀ ଅଫିସ୍ ଭାଙ୍ଗି ଦେଲେ, ଖଜଣାଖାନା ଲୁଟ୍ କଲେ । ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା ।
ସେହିବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ଇଂରେଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ଦମନ କରି ଦେଇଥିଲେ । କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ଶାନ୍ତିରେ ନିଃଶ୍ୱାସ ମାରି ପାରିନଥିଲେ । କାରଣ ଜଗବନ୍ଧୁ ବିଦ୍ୟାଧର, କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କ ଅନୁଚରମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ପୁଣି କେତେବେଳେ ବିଦ୍ରୋହର ନିଆଁ ଜଳି ଉଠିବ ଏହି ଭୟରେ କର୍ତ୍ତୃପକ୍ଷ ସବୁବେଳେ ସତର୍କ ହୋଇ ରହିଥିଲେ । ଇଂରେଜଙ୍କୁ ଘାରିଥିଲା ବକ୍ସିଙ୍କ ଡର। ୧୮୧୭ ମାର୍ଚ୍ଚ ୧ ତାରିଖରେ ଘୁମୁସରରୁ ୪୦୦ କନ୍ଧ ପାଇକ ବ୍ରିଟିଶ ସରକାରଙ୍କ ବିପକ୍ଷରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ବାହାରିଲେ। ସେମାନେ ବାଣପୁର ଅଞ୍ଚଳରେ ପ୍ରବେଶ କରି ଥାନା ଲୁଟ୍ କରିବା ଆରମ୍ଭ କରିଦେଲେ। ଏହାକୁ ସୁବର୍ଣ୍ଣ ସୁଯୋଗ ମନେ କରି ବକ୍ସି ଖୋର୍ଦ୍ଧା ଅଞ୍ଚଳରେ ବିଦ୍ରୋହକୁ ସଙ୍ଗଠିତ କଲେ।