ନ୍ୟୁଜ୍ 365(ବ୍ୟୁରୋ): ଆୟର୍ଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଭାରତୀୟ ଦଳ। ଷ୍ଟାର ଖେଳାଳିଙ୍କ ବିଶ୍ରାମ ଦେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ । ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଭାର ତୁଲାଇବେ ଯଶପ୍ରୀତ ବୁମରା। ଏହି ସିରିଜରେ ଟିମ୍ ଇଣ୍ଡିଆର ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡ଼େଜା, ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ ଖେଳିବେ ନାହିଁ। ଏପରିକି ଦଳର ନିୟମିତ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସମେତ ବାକି କୋଚିଂ ଷ୍ଟାଫ୍ ସଦସ୍ୟଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ରାହୁଲଙ୍କ ସ୍ଥାନରେ କୋଚ୍ ଦାୟିତ୍ବ ତୁଲାଇବେ ସୀତାଂଶୁ କୋଟାକ। ତେବେ ରାହୁଲ ଦ୍ରାବିଡ଼ ଏସିଆ କପ୍ ପାଇଁ କୋଚ୍ ଭାବେ ଟିମ୍ ଇଣ୍ଡିଆରେ ସାମିଲ ହେବେ। ସେହିପରି ଭିଭିଏସ୍ ଲକ୍ଷ୍ମଣ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀର ଇମର୍ଜିଂ କ୍ୟାମ୍ପରେ ଅଂଶଗ୍ରହଣ କରିବେ। ଭାରତୀୟ ଦଳ : ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଇକ୍ୱାଡ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ (ୱିକେଟକିପର), ଜିତେଶ ଶର୍ମା (ୱିକେଟକିପର), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମୁକେଶ କୁମାର ଏବଂ ଆବେଶ ଖାନ।