ନ୍ୟୁଜ୍ 365(ବ୍ୟୁରୋ): ସ୍ଥଳଭାଗରେ ଦେଖାଯାଉଥିବା ସର୍ବବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ହାତୀ। ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ବିଶ୍ବ ହାତୀ ଦିବସ ଭାବେ’ ପାଳନ କରାଯାଉଛି। ୨୦୧୨ରୁ ପାଳିତ ହୋଇଆସୁଥିବା ଏହି ଦିବସରେ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। । ହାତୀ ଦେଖିବାକୁ ବିଶାଳ ହୋଇଥିଲେ ମଧ୍ୟ ବନ୍ୟପ୍ରାଣୀଙ୍କ ମଧ୍ୟରେ ନିରୀହ ପ୍ରାଣୀ ଭାବେ ପରିଚିତ। ୱାର୍ଲ୍ଡ ୱାଇଡ୍ ଫଣ୍ଡ୍ ଫର୍ ନେଚର (ଡବ୍ଲୁଡବ୍ଲୁଏଫ୍)ଅନୁସାରେ ୪,୪୦,୦୦୦ ହାତୀ ଜୀବିତ ଅଛନ୍ତି ଏବଂ ଶିକାରୀମାନେ ପ୍ରତିବର୍ଷ ୧୫ ହଜାର ହାତୀଙ୍କ ଶିକାର କରିଥା’ନ୍ତି। ଏଭଳି ସ୍ଥିତିରେ ଯଦି ହାତୀଙ୍କ ସୁରକ୍ଷା ନେଇ ସନ୍ଦିହାନ ଦେଖାଦେଇଛି। ସମ୍ପ୍ରତି ଅବୈଧ ଶିକାର, ଜଙ୍ଗଲ ସମ୍ପଦ ନଷ୍ଟ ଏବଂ ହାତୀ ମଣିଷ ବିବାଦ, ବିଦ୍ୟୁତ୍ ଆଘାତ ତଥା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଅନେକ ହାତୀ ପ୍ରାଣ ହରାଉଛନ୍ତି।
ଏହି କ୍ରମରେ ଗତ ବର୍ଷ ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୭ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ଜୁଲାଇ ମାସ ମୁଜାଗଡ଼ ବନାଞ୍ଚଳର କାନବିନ୍ଧା ଜଙ୍ଗଲ ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳ ବେଲଗୁଣ୍ଠା ବିଟ୍ର କନ୍ଧନୂଆପଲ୍ଲୀରେ ୨ଟି ଦନ୍ତାହାତୀର ମୃତ୍ୟୁ ଘଟିବା ପରେ ଦୁର୍ବୃତ୍ତ ମାନେ ଦାନ୍ତ କାଟି ନେଇଯାଇଥିଲେ। ଏହାପରେ ବିଭାଗ ଉଭୟ ମାମଲାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ୍ର ରାମ୍ପୁ ଗ୍ରାମ ଠାରୁ ୮କି.ମି. ଦୂର ଜଙ୍ଗଲ ଭିତରେ ଚିଟିକାପାଦୁ ଇଲାକାରେ ଆଉ ଏକ ଦନ୍ତାର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ବିଭାଗ କହିଥିଲା। ଚଳିତ ବର୍ଷ ଜାନୁଆରିରେ ତାରସିଂ ବନାଞ୍ଚଳର ମାଣପୁର ବିଟ୍ରେ ଏକ ଦନ୍ତାହାତୀ, ଫେବ୍ରୁଆରିରେ ଗାଲେରି ବନାଞ୍ଚଳରେ ଅସୁସ୍ଥ ମାଖନା ହାତୀର ମୃତ୍ୟୁ ଘଟିଥିବା ବେଳେ ମାର୍ଚ୍ଚରେ ମୁଜାଗଡ଼ ବନାଞ୍ଚଳର ଗମ୍ଭାରୀଗୋଚ୍ଛା ଏବଂ ଏହାର ଦୁଇ ଦିନ ପରେ ତିଲିକି ସଂରକ୍ଷିତ ଜଙ୍ଗଲ ଭିତରେ ଏକ ମାଇହାତୀର ମୃତଦେହ ଠାବ କରାଯାଇଥିଲା। ହାତୀ ମୃତ୍ୟୁହାର ରୋକିବା ଓ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ହାତୀ ମୃତ୍ୟୁ ଘଟଣା ଘଟିଲେ ହିଁ, ବିଭାଗ ହାତୀଙ୍କ ସୁରକ୍ଷା ପାଇଁ କେତେ ସଜାଗ ଅଛି ତାହା ଜଣାପଡ଼ୁଛି। ହାତୀ ମୃତ୍ୟୁକୁ ଦେଶରେ ଏକ ସମ୍ବେଦନଶୀଳ ଘଟଣା ଭାବେ ଗ୍ରହଣ କରାଯାଉଛି। ଏଣୁ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବା ଆବଶ୍ୟକ।