ନ୍ୟୁଜ୍ 365(ବ୍ୟୁରୋ): ପୁରା ଦେଶରେ ରହିଛି ୫୧ଟି ଶକ୍ତିପୀଠ । ସେଥିମଧ୍ୟରୁ ଅନ୍ୟଟି ହେଉଛି ଓଡିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ମା’ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଇଥାନ୍ତି । କାଇଁ କେଉଁ କାଳରୁ କଥାରହିଛି ମାଙ୍କ ପୀଠକୁ ଆସି ମାର ପୂଜାକଲେ କାଳେ ମାନସିକ ପୂର୍ଣ୍ଣ ହୋଇଥାଏ । ଏହି ପୀଠର ମହିମା ଯୋଗୁଁ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଥିବା ସବୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା’ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ରତା ରହିଛି । ଏହି ପୀଠ ଶାବରୀ, ବୈଦିକ, ବୌଦ୍ଧ, ବୈଷ୍ଣବୀ, ପରମ ତନ୍ତ୍ର ଓ ଶକ୍ତିପୀଠ ଭାବରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ମା’ ତାରାତାରିଣୀଙ୍କ ପୀଠ ପଞ୍ଚ ଦେବତା ଉପାସନାର ଏହା ପ୍ରମୁଖ ପିଠ । ନୌବାଣିଜ୍ୟ ପରମ୍ପରା ଓ ସାଧବ ମାନଙ୍କ ମା’ ତାରାତାରିଣୀ ଇଷ୍ଟଦେବୀ । ଏହି ମନ୍ଦିର ରହିଛି ପାହାଡର ଶିଖରରେ । ମନ୍ଦିରକୁ ଯୁବାପାଇଁ ରହିଛି ୯୯୯ ପାହାଚ । ତେବେ ଜାଭା-ସୁମାତ୍ରାରୁ ଫେରୁଥିବା ଚେଟି ରାମେୟା ନାମକ ସାଧବର ସମୁଦ୍ର ମଧ୍ୟରେ ଜୀବନ ବଂଚିଯାଇଥିବାରୁ ସାଧବ ମା’ଙ୍କ ପାଇଁ ନିର୍ମାଣ କରିଥିଲା ଏହି ୯୯୯ ପଥର ପାହାଚ। ବୌଦ୍ଧ ଧର୍ମର ଦେବୀ ‘ତାରା’ଙ୍କ ଏହା ହେଉଛି ଉତ୍ପତ୍ତି ସ୍ଥାନ । ମା’ ତାରାତାରିଣୀ ପୀଠରେ ଏକ ବୁଦ୍ଧ ମୂର୍ତ୍ତି ପୂଜା ପାଉଥିବାବେଳେ ମା’ ତାରାତାରିଣୀଙ୍କ ମନ୍ତ୍ର, ତନ୍ତ୍ର ଓ ପୂଜା ପଦ୍ଧତ୍ତି ସାମାନ୍ୟ ପରିବର୍ତନ ସହ ‘ବୌଦ୍ଧ ତାରା’ଙ୍କ ଅର୍ଚନା ପାଇଁ ବ୍ୟବହାର ହେଉଛି।
ତେବେ ରାଜ୍ୟର ସବୁ ଶକ୍ତିପୀଠର ପୂଜା ପ୍ରଣାଳୀ ଅପେକ୍ଷା ମା ତାରାତାରିଣୀଙ୍କ ପୂଜା ବିଧି ଟିକେ ନିଆରା । ମାଆଙ୍କର ପୂଜାର୍ଚ୍ଚନା ପ୍ରତ୍ୟୁଷରୁ ଆରମ୍ଭ ହୋଇଥାଏ । ପ୍ରଥମେ କାଳରାତ୍ରିକୁ ବନ୍ଦନା କରି, ଅଗଣାକୁ ଶୋଧ କରାଯାଇ ଦ୍ୱାରପାଳ ଗଙ୍ଗାଯମୁନାଙ୍କୁ ସ୍ନାନ କରାଯାଏ ଓ ସୂର୍ଯ୍ୟପୂଜା ଆରମ୍ଭ ହୁଏ । ଏହାପରେ ଦେଉଳକୁଶୋଧ, ପାର୍ଶ୍ୱଦେବତାଙ୍କୁ ସ୍ନାନ କରାଯାଇ ମାଆଙ୍କର ନିଦ୍ରାଭଙ୍ଗ କରିବା ପାଇଁ ଘଣ୍ଟଶବ୍ଦ କରିବାର ବିଧି ରହିଛି । ପୂଜକ ପହଡ଼ ତ୍ୟାଗ କରିବାର ନିବେଦନ କରିଥାନ୍ତି । ମନ୍ଦିରର ଦ୍ୱାର ଖୋଲାଯାଇ ମାଆଙ୍କ ନିତ୍ୟକର୍ମ ସମାପନ କରାଯାଏ । ମୁଖ ପ୍ରକ୍ଷାଳନ, କାଠଲାଗି ପରେ ଚୁଆ, କର୍ପୂର, ସିନ୍ଦୂର, କସ୍ତୁରୀ, ଗୋରଚନା, ଜାଇଫଳ ପ୍ରଭୃତିଦ୍ୱାରା ମାଆଙ୍କୁ ସ୍ନାନମାର୍ଜନା କରି ବେଶ କରାଯାଏ । ବାଳଧୂପ ଲାଗି ହୁଏ । ଏହା ସହ ପ୍ରାତ୍ୟହିକ ପଞ୍ଚ ଦେବତାଙ୍କର ପୂଜା ହୁଏ । ମାଆଙ୍କ ନିକଟରେ ବାଳଧୂପ ଲାଗି ସହ ଧୂପ ରୂପେ ଖେଚୁଡ଼ି ଓ ଡାଲମା ଲାଗି କରାଯାଏ । ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିରର ଦ୍ୱାର ଖୋଲାଯାଏ । ପରମ୍ପରା ଅନୁସାରେ ମଧ୍ୟାହ୍ନ ୧୨ଟା ୧୫ ମିନିଟ୍ରେ ମାଆଙ୍କୁ ମଧ୍ୟାହ୍ନ ଧୂପର ନୈବେଦ୍ୟ ସମର୍ପଣ କରାଯାଏ। ପୁନର୍ବାର ଦେଉଳ ଶୋଧ କରି ଶଙ୍ଖୁଡ଼ି ଭୋଗ ଯଥା- ଅନ୍ନ, ଡାଲି, ଖଟା, ଭଜା ପ୍ରଭୃତି ଲାଗି କରାଯାଏ । ନୀରାଜନା ପୁଷ୍ପାଞ୍ଜଳି ପରେ ମାଆଙ୍କର ପୁନରାୟ ପହୁଡ଼ ପଡେ। ମଧ୍ୟାହ୍ନ ଧୂପର ପ୍ରସାଦ ସାଧୁ, ସନ୍ଥ, ଅତିଥି ଓ ପୂଜକ ସମସ୍ତେ ଏକତ୍ର ଭୋଜନ କରନ୍ତି। ଏହା ମହାନ୍ ପ୍ରଥା ପ୍ରାୟତଃ ବିରଳ ।
ପୁଣି ଦୁଇଟା ବେଳକୁ ମାଆ ପହୁଡ଼ ତ୍ୟାଗ କରିବା ପାଇଁ ପୂଜକ ନିବେଦନ କରିବା ସହ ମାଆଙ୍କର ମୁଖ ଧୌତ କରାଯାଇ ବେଶ କରାଯାଏ । ପାଦ ଅର୍ଘ୍ୟ, ଧୂପ, ଦୀପର ନୈବେଦ୍ୟ ଅର୍ପଣ ପରେ ଜନସାଧାରଣଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଏ । ପାଞ୍ଚଟା ପନ୍ଦର ମିନିଟ୍ରେ ସନ୍ଧ୍ୟାଆଳତି ଆରମ୍ଭ ହୁଏ । ମନ୍ଦିର ଶୁଦ୍ଧ କରାଯାଇ ବାଳଭୋଗ ସହିତ ଆଳତି କରାଯାଇଥାଏ । ଭକ୍ତଙ୍କ ଦର୍ଶନ ନିମନ୍ତେ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହେ । ଏହାପରେ ରାତ୍ରିଧୂପ ଲାଗି ହୁଏ । ରାତି ଧୂପରେ ଶଙ୍ଖୁଡ଼ି ଭୋଗ ଲାଗି କରାଯାଏ । ରାତ୍ରି ଆଳତି ପରେ ମାଆ ପହୁଡ଼ ବିଜେ କରିଥାନ୍ତି । ପହୁଡ଼ ବିଜେ ପାଇଁ ପୂଜକ ମାଆଙ୍କୁ ପଲଙ୍କରେ ବିଜେ ହେବାକୁ ନିବେଦନ କରିଥାନ୍ତି । ସ୍ତୁତିପାଠ କରିବାର ପ୍ରଥା ରହିଛି । ପହୁଡ଼ ପରେ ମନ୍ଦିର ବନ୍ଦ କରାଯାଏ । ଦୈନିକ ରୀତିରେ ମାଆଙ୍କ ନିକଟରେ ଚଣ୍ଡୀପାଠ ଓ ଯାଗଯଜ୍ଞ ମଧ୍ୟ କରାଯାଇଥାଏ । ମାଆଙ୍କର ସମସ୍ତ ପୂଜା ମାଳି କରିବାର ବିଧି ରହିଛି । କିନ୍ତୁ ଘୃତ ଯଜ୍ଞ ମନ୍ଦିର ପୁରୋହିତ କରନ୍ତି ।