ନ୍ୟୁଜ 365 (ବ୍ୟୁରୋ): ହିମାଚଳପ୍ରଦେଶରେ ଏକ କାର ନଦୀ ଭିତରକୁ ଖସି ପଡିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମସ୍ତ ମୃତ ଏବଂ ଆହତ ଇଣ୍ଡିଆନ ରିଜର୍ଭ ବାଟାଲିଅନର ଯବାନ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ଯବାନ ମାନେ ହିମାଚଲ ପ୍ରଦେଶ- ଜମ୍ମୁ କାଶ୍ମୀର ସୀମା ଅଂଚଳର ପେଟ୍ରୋଲିଂ ଦାୟିତ୍ୱରେ ଥିଲେ । ତେବେ ଫେରୁଥିବା ସମୟରେ ଚାମ୍ବା ଜିଲ୍ଲାର ତିସା-ବୈରାଗଡ଼ ରୋଡ୍ରେ ଡ୍ରାଇଭର ଗାଡ଼ି ଉପରୁ ନିଜ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡି ରାସ୍ତା କଡ଼ରେ ଥିବା ନଦୀ ଭିତରକୁ ଚାଲି ଯାଇଥିଲା । ଦୁର୍ଘଟଣା ସମୟରେ ୯ ପୁଲିସଙ୍କ ସମେତ ଏସ୍ୟୁଭିରେ ୧୧ ଜଣ ଥିଲେ। ଆହତମାନଙ୍କୁ ତିସାରେ ନିକଟସ୍ଥ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏଠାରୁ ସେମାନଙ୍କୁ ଚମ୍ବା ଜିଲ୍ଲାର ଜୋନାଲ ହସ୍ପିଟାଲ୍ ପଠାଇ ଦିଆଯାଇଛି।
ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଏସ୍ଆଇ ରାକେଶ ଗୋରା, ହେଡ୍ କନେଷ୍ଟବଳ ପ୍ରବୀଣ, କନେଷ୍ଟବଳ କମଳଜିତ, କନେଷ୍ଟବଳ ସଚିନ, ଅଭିଷେକ ଏବଂ ଲକ୍ଷ୍ୟ। ଏସ୍ୟୁଭି ଡ୍ରାଇଭର ଚନ୍ଦୁରାମଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଜଣେ ସ୍ଥାନୀୟ ବାସିନ୍ଦା ପଙ୍କଜ କୁମାର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଦେବାରୁ ଏହି ଦୁର୍ଘଟଣା ହୋଇଛି।