ନ୍ୟୁଜ୍ 365(ବ୍ୟୁରୋ): ମିଜୋରାମରେ ସାଧାରଣ ଲୋକଙ୍କ ଉପରେ ବୋମା ପକାଇଥିଲେ ଇନ୍ଦିରା ଗାନ୍ଧୀ । ସେଦିନ ଥିଲା ମାର୍ଚ୍ଚ 5 ତାରିଖ 1966 ମସିହା । କଂଗ୍ରେସର କଳା ଇତିହାସକୁ ମନେପକାଇଲେ ସଂସଦରେ ବର୍ଷିଲେ ମୋଦି । ଅନାସ୍ଥା ପ୍ରସ୍ତାବ ବେଳେ କଂଗ୍ରେସର ଅଭିଯୋଗ ଉପରେ କଡା ପ୍ରହାର କରିବା ସହ କଂଗ୍ରେସ କିପରି ତାର ଶାସନ ସମୟରେ ଲୋକଙ୍କ ଉପରେ ବୋମା ପକାଇ ହତ୍ୟା କରିଥିଲା ତାହା କହିଛନ୍ତି । କଂଗ୍ରେସର ଇତିହାସକୁ ମନେପକାଇ କହିଲେ ମିଜୋରମରେ କିପରି ଗଣହତ୍ୟା କରିଥିଲା କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର ବିରୋଧରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ଦେଇ ଉତ୍ତର-ପୂର୍ବ ଅଞ୍ଚଳର ଇତିହାସକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି।
ମାର୍ଚ୍ଚ 5, 1966 ରେ ମିଜୋରାମର ଅସହାୟ ନାଗରିକଙ୍କୁ ଆକ୍ରମଣ କରିବା ପାଇଁ କଂଗ୍ରେସ ବାୟୁସେନାକୁ ବ୍ୟବହାର କରିଥିଲା। ମୋଦି କହିଥିଲେ କଂଗ୍ରେସ ଉତ୍ତର ଦେବା ଉଚିତ୍, ମିଜୋରାମର ଲୋକ କଣ ମୋ ଦେଶର ନାଗରିକ ନୁହଁନ୍ତି କି । ଭାରତୀୟ ବାୟୁସେନାକୁ ନିଜ ଲୋକଙ୍କ ଉପରେ କଂଗ୍ରେସ କାହିଁକି ବ୍ୟବହାର କରିଥିଲା । ଆଜି ବି ଲୋକ ସେ କଥା ଶୁଣିଲେ ଭୟ ପ୍ରକାଶ କରୁଛନ୍ତି । କଂଗ୍ରେସ କଦାପି ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିନାହିଁ। କଂଗ୍ରେସ ଏହି ଘଟଣାକୁ ଦେଶର ଲୋକଙ୍କଠାରୁ ଲୁଚାଇ ରଖିଛି। ଇନ୍ଦିରା ଗାନ୍ଧୀ ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଆଉ କଣ କରିଥିଲେ ତାହା ଜାଣିବାର ଲୋକଙ୍କ ଅଧିକାର ରହିଛି । ମାର୍ଚ୍ଚ 5, 1966 ରେ ଭାରତୀୟ ବାୟୁସେନା ମିଜୋରମବାସୀଙ୍କ ଉପରେ ଘନ ଘନ ବୋମା ବର୍ଷଣ କରିଥିଲା । ମିଜୋ ନ୍ୟାସନାଲ ଫ୍ରଣ୍ଟ ଚାଲୁ ରଖିଥିବା ବିଦ୍ରୋହ ଜବାବରେ ମିଜୋରାମ ଆଇଜାୱଲ ସହର ସହ ଅନ୍ୟାନ୍ୟ ସହର ଉପରେ ବୋମା ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ।
ତେବେ ଆନ୍ଦୋଳନ କାହିଁକି କରୁଥିଲେ ମିଜୋରମବାସୀ । କାରଣ ଥିଲା ଖାଦ୍ୟ ସମସ୍ୟା । ଉତ୍କଟ ମରୁଡ଼ି ବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା । କେନ୍ଦ୍ର ସରକାର ଖାଦ୍ୟ ସଂକଟ ନେଇ କିଛି ସମାଧାନର ବାଟ ବାହାର କରିନଥିଲା । ଯାହା ଫଳରେ ଖାଦ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ମିଜୋ ନ୍ୟାସନାଲ ଫ୍ରଣ୍ଟ ଆନ୍ଦୋଳନ ଆରମ୍ଭ କରିଥିଲା । ଆନ୍ଦୋଳନ ବଢ଼ିବା ସହ ସୁରକ୍ଷାକର୍ମୀଙ୍କ ସହ ହିଂସାକାଣ୍ଡ ଘଟିଥିଲା । କେନ୍ଦ୍ର ସରକାର ଆନ୍ଦୋଳନକାରୀ ନେତାଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ସେମାନଙ୍କୁ ବୋମା ପକାଇ ନିପାତ କରିବାକୁ ଚାହୁଁଥିଲେ । ଆନ୍ଦୋଳନ ଦମନ କରିବାକୁ ସେନାକୁ ବଳ ପ୍ରୟୋଗ କରିବାକୁ କହିଥିଲେ ଇନ୍ଦିରା ଗାନ୍ଧୀ ।
ପ୍ରଥମେ ଆଇଜୱାଲ ଉପରେ ମେସିନ ବନ୍ଧୁକ ଆକ୍ରମଣ ପାଇଁ ଚାରିଟି IAF ଯୁଦ୍ଧ ବିମାନ ବ୍ୟବହାର କରିବାକୁ ନିର୍ଦେଶ ଦେଇଥିଲେ ଇନ୍ଦିରା ଗାନ୍ଧୀ । ପରେ ଏହି ଆନ୍ଦୋଳନକୁ ଚପାଇବାକୁ ବୋମା ପକାଇବାକୁ ନିର୍ଦେଶ ଦେଇଥିଲେ । ବୋମା ବିସ୍ଫୋରଣରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ତେବେ ସରକାର କେତେ ଲୋକ ଜୀବନ ହରାଇଥିଲେ ତାହା କହିନଥିଲେ । ବୋମା ବିସ୍ଫୋରଣ ଖାୱାଜୱଲ୍ , ସାଙ୍ଗୁଆ , ତଲାବୁଙ୍ଗ, ପୁକପୁଇ , ବଙ୍ଗମୁନ୍ ରେ ହୋଇଥିଲା । 25 ହଜାର ଲୋକ ନିଜ ଘର ଛାଡି ପଳାୟନ କରିଥିଲେ । ଅନେକ ଲୋକ ନିଖୋଜ ହୋଇଥିଲେ ଯାହାର ଖୋଜ ଖବର ମିଳିନଥିଲା । ଏହାସହ ଘର, ବ୍ୟବସାୟ ଏବଂ ସରକାରୀ ଅଫିସ ନଷ୍ଟ ହୋଇଥିଲା । ଏହାପରେ ସେ ଅଞ୍ଚଳରେ ହିଂସା ଏବଂ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏଭଳି ଅନେକ ଅକ୍ଷମଣୀୟ ହିଂସାକାଣ୍ଡ ଉତ୍ତର-ପୂର୍ବ ଜିଲ୍ଲାଗୁଡିକରେ କଂଗ୍ରେସ ଶାସନରେ ଥିବା ସମୟରେ ହିଂସାକାଣ୍ଡ ଘଟାଇଥିବା କହିଥିଲେ ପ୍ରଧାନମନ୍ତ୍ରୀ ।