ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଶ୍ବସ୍ତି। ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଜାମିନ ମିଳିଛି। ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ରାମମୂର୍ତ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। କିଛିଦିନ ତଳେ ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହାକୁ ଚାଲେଞ୍ଜ କରି ରାମମୂର୍ତ୍ତି ହାଇକୋର୍ଟରେ ଅପିଲ ।
ସୂଚନାଯୋଗ୍ୟ, ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ ଶୁଣାଇଥିଲେ। ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ସେହିପରି ଦଫା-୨୦୧(ପ୍ରମାଣ ନଷ୍ଟ କରିବା)ରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଦୁଇଟି ଯାକ ଦଣ୍ଡ ଏକାସାଙ୍ଗରେ ଲାଗୁ ହେବ। ରାଜ୍ୟରେ ଏମପି, ଏମ୍ଏଲ୍ଏଙ୍କ ମାମଲା ଆଦିର ତ୍ବରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଦଣ୍ଡାଦେଶ।
୧୯୯୫ ଅଗଷ୍ଟ ୨୯ ତାରିଖ ଥିଲା ଗଣେଶ ପୂଜା। ପୂରା ରାଜଧାନୀ ଉତ୍ସବ ମୁଖର ଥିବା ବେଳେ ସକାଳ ପ୍ରାୟ ୧୦ଟା ୪୫ରେ ଶ୍ରୀ ଗମାଙ୍ଗ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍ଏଲ୍ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍ରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ମର୍ଣ୍ଣିଂଵାକ୍ରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଘଟଣା ଦିନ ସକାଳେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଶଶିରେଖା ବାଥରୁମ୍ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ସେ ଆସିବା ବେଳକୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ।
ଶଶିରେଖା ଶ୍ରୀ ଗମାଙ୍ଗଙ୍କର ଦ୍ବିତୀୟ ପତ୍ନୀ ହୋଇଥିବା ବେଳେ ବିଭିନ୍ନ କାରଣକୁ ନେଇ ସେମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଅତ୍ମହତ୍ୟା ନୁହେଁ, ଏହା ହତ୍ୟାକାଣ୍ଡ ଜଣାପଡ଼ିବା ପରେ ଶ୍ରୀ ଗମାଙ୍ଗଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। ପ୍ରାୟ ଦୁଇ ମାସ ଜେଲ୍ରେ ରହିବା ପରେ ସେହିବର୍ଷ ନଭେମ୍ବର ୧ରେ ସେ ଜାମିନ୍ରେ ମୁକୁଳିଥିଲେ। ଏହା ପରେ ମାମଲାର ଶୁଣାଣି ଚାଲିଥିଲେ ମଧ୍ୟ ଅନେକ ସାକ୍ଷୀ ପ୍ରଭାବିତ ହୋଇ ସାରିଥିଲେ। ସେହିପରି ରାଜ୍ୟର ଏମପି/ଏମଏଲ୍ଏଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ଶୁଣାଣି ଲାଗି ଭୁବନେଶ୍ବରଠାରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ସେଠାକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ପ୍ରାୟ ବର୍ଷେ ଧରି ଶୁଣାଣି ଚାଲିଥିବା ବେଳେ ଅଭିଯୁକ୍ତ ଶ୍ରୀ ଗମାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଥିଲା।