ନ୍ୟୁଜ୍ 365(ବ୍ୟୁରୋ):ବ୍ରିଟିସ୍ ଅମଳରୁ ଚାଲି ଆସୁଥିବା ଦେଶର ଅପରାଧିକ ଆଇନରେ ଏବେ ହେବ ସଂଶୋଧନ। ଏହି ଆଇନରେ ସଂଶୋଧନ କରିବାକୁ କେନ୍ଦ୍ର ସରକାର ସଂସଦରେ ୩ଟି ନୂଆ ବିଲ୍ ଆଗତ କରିଛନ୍ତି। ଏହି ‘ବିଲ୍’ ଆଗତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବ୍ରିଟିସ୍ ଅମଳର ଆଇନ ‘ଇଣ୍ଡିଆନ୍ ପେନାଲ୍ କୋଡ୍’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ଓ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ଉଚ୍ଛେଦ ଓ ପରିବର୍ତ୍ତନ କରିବା ପାଇଁ ଏହି ବିଲ ଆଗତ କରାଯାଉଛି। ବିବାଦୀୟ ରାଜଦ୍ରୋହ ଆଇନକୁ ଉଚ୍ଛେଦ କରିବା ସହିତ ଭିଡ଼ ହିଂସା ହତ୍ୟା ଘଟଣାରେ ମୃତ୍ୟୁଦଣ୍ଡ ଲାଗୁ କରିବାକୁ ଏହି ବିଲରେ ମଧ୍ୟ ବ୍ୟବସ୍ଥା ରହିଛି। ଏହି ଚିଠାଗୁଡ଼ିକୁ ‘ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି’କୁ ପଠାଯିବ ବୋଲି ଶାହ କହିଛନ୍ତି।
ଅଗଷ୍ଟ ୧୬ ତାରିଖରୁ ସ୍ବାଧୀନତାର ୭୫ତମ ବାର୍ଷିକୀରୁ ଶତବାର୍ଷିକୀ ପର୍ଯ୍ୟନ୍ତ ପଥ ଉନ୍ମୁକ୍ତ ହେବ। ଦାସତ୍ବ ମନୋବୃତ୍ତି ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ କରିଛନ୍ତି। ବ୍ରିଟିସ୍ମାନେ କରିଥିବା ଆଇପିସି (୧୮୫୭), ସିଆର୍ପିସି (୧୮୫୮), ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ୍ (୧୮୭୨) ଆଇନକୁ ସେ ବିଲୋପ କରିବେ। ଅଧିକାର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଆମେ ଉପରୋକ୍ତ ଆଇନ ସ୍ଥାନରେ ୩ଟି ନୂଆ ଆଇନ ପ୍ରଚଳନ କରିବୁ। ଦଣ୍ଡବିଧାନ ନୁହେଁ ଏହାର ମୁଖ୍ୟ ଲକ୍ଷ୍ୟ ହେବ ନ୍ୟାୟ ପ୍ରଦାନ।
ଅଦାଲତକୁ ଯିବାକୁ ଲୋକ ଏବେ ଭୟ କରୁଛନ୍ତି। ‘ଇଣ୍ଡିଆନ୍ ପେନାଲ୍ କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’, ‘କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର’ ପରିବର୍ତ୍ତେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ‘ଭାରତୀୟ ସାକ୍ଷ୍ୟ’ ଆସିବ। ଏଥିରେ ପୂର୍ବରୁ ୫୧୧ଟି ସେକ୍ସନ୍ ଥିବା ବେଳେ ଏବେ ୩୫୬ଟି ସେକ୍ସନ ରହିବ। ଏନ୍ୟ ୧୭୫ଟି ସେକ୍ସନରେ ସଂଶୋଧନ କରାଯିବ ବୋଲି ଲୋକସଭାରେ କହିଛନ୍ତି ଅମିତ ଶାହ।