ନ୍ୟୁଜ 365 (ବ୍ୟୁରୋ): ଦୁନିଆର ସବୁଠୁ ବଡ଼ ଯୁଦ୍ଧ ମହାଭାରତ । ଏହି ଯୁଦ୍ଧ ଦୀର୍ଘ ୧୮ ଦିନ ଧରି ଚାଲିଥିଲା। ଏଥିରେ ୫୦ ଲକ୍ଷ ସୈନିକ ଥିଲେ । ହେଲେ ଆପଣ ଜାଣନ୍ତି କି , ମହାଭାରତରେ ଯୁଦ୍ଧ କରୁଥିବା ସୈନ୍ୟ ମାନେ କ’ଣ ଖାଉଥିଲେ ? ଏମାନଙ୍କ ପାଇଁ କିଏ ରୋଷେଇ କରୁଥିଲେ? ମହାଭାରତ ଯୁଦ୍ଧରେ ନିୟୋଜିତ ଥିବା ୫୦ ଲକ୍ଷ ସୈନିକଙ୍କ ପାଇଁ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ହେଲେ ଏଠି ପ୍ରଶ୍ନ ଉଠୁଛି ପ୍ରତିଦିନ ଯୁଦ୍ଧରେ ପାଖାପଖି ହଜାର ସୈନିକ ମୃତ୍ୟୁ ବରଣ କରୁଥିଲେ ତାହାଲେ ଖାଇବା କେଉଁ ହିସାବରେ ତିଆରି ହେଉଥିଲା ?
ଏହାସହ ଭୋଜନ ପ୍ରସ୍ତୁତି ପରେ ଲୋକ କମ ହେଲେ ବି ଖାଦ୍ୟ କେବେବି ନଷ୍ଟ ହେଉନଥିଲା। ଏହା ବିଶ୍ୱାସ ନହେଲେ ବି ସତ । ଏହା ପଛରେ ଏକ ରହସ୍ୟ ରହିଛି।
ମହାଭାରତର ପ୍ରଥମ ଦିନରୁ ଶେଷ ଦିନ ଯାଏ ଉଡ୍ଡୁପି ନରେସ ଭୋଜନ ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଥିଲେ । ସମସ୍ତଙ୍କ ପାଇଁ ସେ ସଠିକ ମାପର ଖାଦ୍ୟ ପ୍ରସ୍ତୁତ କରୁଥିଲେ। ତାଙ୍କର କୁଶଳତା କିଛି ଏଭଳି ଥିଲା ଯେପରି ଦିନର ଶେଷ ଭାଗରେ ମଧ୍ୟ ଟିକେ ବି ଖାଦ୍ୟ ନଷ୍ଟ ହେଉନଥିଲା। ଦିନ ଗଡ଼ିବା ସହ ଯୋଦ୍ଧା ମାନଙ୍କ ସଂଖ୍ୟା ବି କମିବାକୁ ଲାଗିଲା । ସମସ୍ତେ ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଗଲେ ଯେ ଯୁଦ୍ଧ ଶେଷରେ ରହୁଥିବା ଯୋଦ୍ଧା ମାନଙ୍କ ପାଇଁ ଉଡ୍ଡୁପୀ କିଭଳି ବରାବର ଖାଦ୍ୟ ପ୍ରସ୍ତୁତ କରିପାରୁଛନ୍ତି ? ଯୁଦ୍ଧ ଶେଷରେ କେତେ ଜଣ ସୁରକ୍ଷିତ ଫେରିବେ ସେ କେମିତି ଜାଣୁଛନ୍ତି ? ପ୍ରତିଦିନ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ହେଲେ ଯୁଦ୍ଧରେ ମୃତ୍ୟୁବରଣ କରୁଥିବା ସୈନ୍ୟଙ୍କ ଖାଦ୍ୟ କୁଆଡେ ଯାଉଥିଲା ତାହା କାହାକୁ ବି ଜଣାନଥିଲା ।
ପୂରାଣ ଶାସ୍ତ୍ର ଅନୁଯାୟୀ, ଏହି ଯୁଦ୍ଧରେ ଉଭୟ ପକ୍ଷ ଉଡ୍ଡୁପି ରାଜାଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଥିଲେ କାରଣ ସେ ବହୁତ ଶକ୍ତି ଶାଳୀ ଥିଲେ। କିନ୍ତୁ ସେ ନିଜେ ମନା କଲେ। ସେ କହିଥିଲେ ଯେ, ସମସ୍ତେ ଯୁଦ୍ଧ କରିବା ପାଇଁ ଆଗଭର ହେଲେ ସୈନିକ ମାନେ ଖାଇବେ କଣ ? ତେଣୁ ମୁଁ ଯୁଦ୍ଧ ନକରି ସୈନ୍ୟ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିବି । ଖାଦ୍ୟ ଖାଇଲେ ହିଁ ସୈନ୍ୟ ମାନଙ୍କ ଦେହରେ ଶକ୍ତି ଆସିବ , ଏବଂ ଯୁଦ୍ଧ କରିବା ପାଇଁ ସେମାନେ ସକ୍ଷମ ହେବେ ।
ତେବେ ଯୁଦ୍ଧ ଶେଷ ହେଲାପରେ ଯେତେବେଳେ ଯୁଧିଷ୍ଠିରଙ୍କ ରାଜ୍ୟଭିଷେକ ହେଲା ସେତେବେଳେ ସେ ଉଡ୍ଡୁପି ରାଜାଙ୍କୁ ପଚାରିଲେ ଆପଣ କିପରି ସଠିକ ଅନୁମାନ କରି ଖାଦ୍ୟ ପ୍ରସ୍ତୁତ କରୁଥିଲେ ? ଏହାକୁ ଶୁଣି ରାଜା କହିଲେ , ପ୍ରଭୁ ଶ୍ରୀକୃଷ୍ଣ ସବୁବେଳେ ରାତିରେ ବାଦାମ ଖାଉଥିଲେ। ଆଉ ସେ ଯେତେଟା ବାଦାମ ଖାଉଥିଲେ ତାକୁ ମୁଁ ଗଣୁଥିଲି। ଆଉ ମୁଁ ଲକ୍ଷ୍ୟ କଲି ସେ ଯେତେଟା ବାଦାମ ଖାଉଥିଲେ ତାଠୁ ହଜାର ଗୁଣା ଅଧିକ ସୈନିକ ପରବର୍ତ୍ତୀ ଦିନ ମୃତ୍ୟୁ ବରଣ କରୁଥିଲେ। ମାନେ ୫୦ ଟା ବାଦାମ ଖାଇଲେ ବୁଝୁଥିଲି ପରବର୍ତ୍ତୀ ଦିନ ୫୦ ହଜାର ସୈନକି ମରିବେ। ଆଉ ତାହାକୁ ଲକ୍ଷ୍ୟ କରି ମୁଁ ଖାଦ୍ୟ ପ୍ରସ୍ତୁତ କରୁଥିଲି। ଏଥିପାଇଁ କେବେ ବି ଖାଦ୍ୟ ନଷ୍ଟ ହଉନଥିଲା।