ନ୍ୟୁଜ୍ 365(ବ୍ୟୁରୋ): ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହ ବେଳକୁ ଓଡିଶା ବାସୀଙ୍କୁ ଏକ ପ୍ରକାର ଛନକା ରହିଥାଏ । ରାଜ୍ୟରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । କିନ୍ତୁ ଏଥ ହୋଇଛି ଓଲଟା ଆକାଶରେ ନାହିଁ ମେଘ, ଚିନ୍ତାରେ ଚାଷୀ । ବର୍ଷା ବିତ୍ପାତ ଓ ବନ୍ୟା ଡ଼ର ପରେ ଏବେ ହଜି ଯାଇଛି ବର୍ଷା । ବଦଳରେ ହେଉଛି ଟାଏଁ ଟାଏଁ ଖରା । ଚାଷୀ ଚିନ୍ତା ବଢିଲାଣି । ଆଇ ଦୁଇ ଚାରି ଦିନ ଏମିତି ଖରା ହେଲେ ତଳି ଝାଉଁଳିଯିବ ଚାଷୀର ଚାଷ ଜମି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏବେ ସେମିତି ବର୍ଷା ନାହିଁ କି ସମ୍ଭାବନାବି ନାହିଁ ।ମୌସୁମୀ ସକ୍ରିୟ କରାଉଥିବା ନିମ୍ନ ଚାପରେଖା ଉତ୍ତରକୁ ଘୁଞ୍ଚି ଯାଇଛି । ପୁଣି ତଳକୁ ଖସିଲେ ଓଡିଶାରେ ବର୍ଷା ହେବ ।
ଆସନ୍ତା ୧୭ କିମ୍ବା ୧୮ତାରିଖ ବେଳକୁ ପଶ୍ଚିମବଙ୍ଗ ଓ ବାଲେଶ୍ବର ଉପକୂଳ ବଙ୍ଗେପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାନେଇ ସମ୍ଭାବନା ରହିଛି । ଏଣେ ପୁଣି ୨୩ କିମ୍ବା ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିବା କିଛି ଲକ୍ଷଣ ଦେଖାଯାଉଛି । ତାପୂର୍ବରୁ ଆସନ୍ତାକାଲିଠାରୁ ୨ଦିନ ଉତ୍ତର ଓଡିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଶନିବାର ବେଳକୁ ଉତ୍ତର ଓଡ଼ିଶାରେ କିଛି ବର୍ଷା ଅଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭଲ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବି ସାମାନ୍ୟ ବର୍ଷା ହେବ । ଡକ୍ଟର ପଶୁପାଳକ କହିଛନ୍ତି, ଅଧିକାଂଶ ଜିଲ୍ଲାଗୁଡ଼ିକରେ ଚାଷ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଟାଏଁ ଟାଏଁ ଖରା ଯୋଗୁ ବାଷ୍ପୀକରଣ ହାର ଏତେ ଯେ ଜମି ଶୁଖିଗଲାଣି । ଯେଉଁଠି ଧାନ ରୁଆ କାମ ସରିଛି, ୭ ଦିନ ଯାଏଁ ପାଣି ଦରକାର । ଗତ ତିନି ଚାରି ଦିନର ଖରା ସବୁ ଶୋଷି ନେଇଛି ।ବିଶେଷକରି ଗଞ୍ଜାମ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ପୁରୀ ସ୍ଥିତି ଖରାପ । ୨୦ରୁ ଏସବୁ ଅଞ୍ଚଳରେ ୪୨ ପ୍ରତିଶତ ଯାଏ ସ୍ୱଳ୍ପ ବର୍ଷା ହୋଇଛି । ଆଗକୁ ବର୍ଷା ନ ହେଲେ ଚାଷ ପୁରା ନଷ୍ଟ ହୋଇଯିବାର ସମ୍ଭାବନା ରହିଛି ।
ତେବେ ପୂର୍ବରୁ ମଧ୍ୟ ରାଜ୍ୟରେ ସନ୍ତୁଷ୍ଟି ଜନକ ବର୍ଷା ହୋଇନଥିବା ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ତେବେ ଜୁଲାଇ ମାସର ଶେଷବେଳକୁ ବର୍ଷା ଚାଷୀଙ୍କୁ ଦେଇଥିଲା ସାମାନ୍ୟ ଆଶ୍ୱସ୍ତି । ଏବେ ପୁଣି ଚାଷୀଙ୍କୁ ଘାରିଲାଣି ଅନିଅଣ୍ଟିଆ ବର୍ଷାର ଡର । ଚିନ୍ତାରେ ପଡିଲେଣି ଚାଷୀ କୂଳ ।