ନ୍ୟୁଜ୍
365(ବ୍ୟୁରୋ): ପୁରୀ ଜିଲ୍ଲାର
କାକଟପୁରର ପ୍ରାଚୀ ନଦୀ କୂଳରେ ଅବସ୍ଥିତ ମା ମଙ୍ଗଳାଙ୍କ ପୀଠ । ଏହି ପୀଠ ରାଜ୍ୟର ଏକ
ପୁରାତନ ଶକ୍ତିପୀଠ ବୋଲି କୁହାଯାଏ । ଲୋକଙ୍କ କହିବା ଅନୁଯାୟୀ, ମା‘ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର
ଗର୍ଭରେ ଲୁଚି ରହିଥିଲେ । ଦିନେ ନଦୀରେ ଜଣେ ନାଉରିଆ
ଡଙ୍ଗା ନେଉଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ
ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ଡଙ୍ଗାଟି ସ୍ଥିର ହୋଇ ରହିଲା । କିନ୍ତୁ ସେ ଜାଣିପାରିଲା ନାହିଁ ଏତେ ଜଳ ମଝିରେ ଏତେ ସହଜର କିପରି ରକ୍ଷା
ପାଇଗଲେ । ମନକଥା ମନରେ ରଖି ନାଉରିଆଟି ନିଜ ଘରକୁ ଫେରିଥିଲା । ତେବେ ରାତିରେ ଶୋଇଥିବା ସମୟରେ
ସେହି ନାଉରିଆକୁ ମା’ଙ୍କର ସ୍ୱପ୍ନାଦେଶ ହୋଇଥିଲା । ତେଣୁ ସେହି ନାବିକଟି ପରବର୍ତ୍ତି
ସମୟରେ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କରାଇଥିଲା। କିଛି ସମୟ ଅତିକ୍ରମ
କରିବା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମା‘ଙ୍କୁ କାକଟପୁର ମଙ୍ଗଳା ନାମରେ ସମସ୍ତେ ଜାଣିଲେ ।
ପ୍ରଥା
ଅନୁସାରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା‘ ମଙ୍ଗଳାଙ୍କ ଚନ୍ଦନ ବେଶ ହୋଇଥାଏ । ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା‘ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ।
ଏହାକୁ ଦର୍ଶନ ନିମନ୍ତେ ମା‘ମଙ୍ଗଳାଙ୍କ
ଭକ୍ତମାନେ ବହୁ ଦୂରରୁ ପାଛୋଟି ହୋଇ ଆସନ୍ତି । ଏହି ମନ୍ଦିର
ସ୍ୱତନ୍ତ୍ର କଳିଙ୍ଗ ଶୈଳୀରେ ପ୍ରତିଷ୍ଠିତ କରାଯାଇଛି। ଏଠାରେ ଶକ୍ତ ପଥରରେ ନିର୍ମିତ ଏକ ଶଯ୍ୟା ଅଛି, ଯେଉଁଠାରେ ମା‘ମଙ୍ଗଳା ପ୍ରତିଦିନ ବିମ୍ବ ପରିକ୍ରମା କରି ବିଶ୍ରାମ
ନିଅନ୍ତି। ଏହି ଶଯ୍ୟାଟି ଏପରି ଭାବେ ଖୋଦିତ ହୋଇଛି, ଯେପରି ଏହା ଶହ ଶହ
ବର୍ଷ ଧରି ବ୍ୟବହାର ହୋଇଛି। ଏହି ମନ୍ଦିରର ଚାରି ପାର୍ଶ୍ୱରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା
କରାଯାଉଛି। ଏହା ଶକ୍ତି ଉପାସକ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳୀ। ତେବେ ବୈଶାଖ ମାସର
ପ୍ରଥମ ମଙ୍ଗଳବାର କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କର ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ
ଝାମୁଯାତ୍ରା । ରାଜ୍ୟର ଦେବଦେବୀ ମନ୍ଦିରମାନଙ୍କରେ ପଣା ସଂକ୍ରାନ୍ତି ତିଥିରେ ଝାମୁଯାତ୍ରା ପାଳିତ ହେଉଥିବା ବେଳେ ଏକମାତ୍ର
ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ
ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ମା‘ ମଙ୍ଗଳାଙ୍କ ଝାମୁଯାତ୍ରା ପାଇଁ ସମଗ୍ର କାକଟପୁର ଲୋକାରଣ୍ୟ ହୋଇଥଏ । ଭୋର ୨ଟାରୁ ମା‘ଙ୍କର ମଙ୍ଗଳ ଆଳତି ସ୍ନାନ ମାର୍ଜନା ପରେ ଚନ୍ଦନବେଶରେ ସଜ୍ଜିତକରି ପରେ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପନୀତି ଅନୁଷ୍ଠିତ ହେବାପରେ ସକାଳ ୫ଟା
ବେଳକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥାଏ । ଲକ୍ଷ ଲକ୍ଷ ଭକ୍ତମାନେ ମନ୍ଦିର
ଭିତରକୁ ପ୍ରବେଶକରି ପୂଜାର୍ଚ୍ଚନା କରିଥାନ୍ତି ।