ନ୍ୟୁଜ୍ 365(ବ୍ୟୁରୋ): ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ଅଶୋଭନୀୟ ବ୍ୟବହାର ପାଇଁ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ଅଧୀରଙ୍କ ଆଚରଣ ଉପରେ ସ୍ବାଧୀକାର କମିଟି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଅଧୀର ଗୃହରୁ ନିଲମ୍ବିତ ରହିବେ। ଲୋକସଭାରେ ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନାସ୍ଥା ଭାଷଣ ସମୟରେ ଅଧୀର ରଂଜନ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଣୁତେଣୁ ଟିପ୍ପଣୀ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ, ମାତ୍ର ଅଧୀର କ୍ଷମା ମାଗିନଥିଲେ। ପରେ ମନ୍ତ୍ରୀ ଅଧୀରଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଣିଥିଲେ ଏବଂ ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଛି।
ଅଧୀର ରଂଜନ ଚୌଧୁରୀ ଲୋକସଭାରେ ମୋଦୀଙ୍କୁ କଟାକ୍ଷ କରିଥିଲେ। ମହାଭାରତକୁ ଉଲ୍ଲେଖ କରି ଚୌଧୁରୀ କହିଥିଲେ, ହସ୍ତିନାପୁର ହେଉ କି ମଣିପୁର ହେଉ ମହିଳାଙ୍କ ବିରୋଧରେ ଯାହା ଘଟୁଛି ରାଜା ସେଥିପ୍ରତି ଅନ୍ଧ ନହେବା ଉଚିତ। ଚୌଧୁରୀ ମୋଦୀଙ୍କୁ ମହାଭାରତର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ସହ ତୁଳନା କରିଥିଲେ। କଟାକ୍ଷ କରି ସେ କହିଥିଲେ, ଯେତେବେଳେ ଧୃତରାଷ୍ଟ୍ର ଅନ୍ଧ ଥିଲେ ସେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହୋଇଥିଲା। ଆଜି ବି ରାଜା ଅନ୍ଧ ହୋଇ ବସି ରହିଛନ୍ତି। ତେଣୁ ମଣିପୁର ଏବଂ ହସ୍ତିନାପୁର ମଧ୍ୟରେ କୌଣସି ଫରକ୍ ଥିବା ପରି ଲାଗୁନାହିଁ। ମୋଦୀଙ୍କୁ ଚୌଧୁରୀ ପଳାତକ ନିରବ ମୋଦୀଙ୍କ ସହ ମଧ୍ୟ ତୁଳନା କରିଥିଲେ। ଚୌଧୁରୀଙ୍କ ଏଭଳି ଟିପ୍ପଣୀକୁ ବିରୋଧ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ଚୌଧୁରୀଙ୍କୁ ଏଭଳି ନକହିବା ପାଇଁ ଶାହ ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିଥିଲେ। ପରେ ବାଚସ୍ପତି ଚୌଧୁରୀଙ୍କ ଟିପ୍ପଣୀକୁ ବାଦ୍ ଦେବା ସହ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ନିଲମ୍ବନ କରିଥିଲେ।