ନ୍ୟୁଜ୍ 365(ବ୍ୟୁରୋ): ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖି ଆଇଏନଡିଆଏ ମେଣ୍ଟକୁ କଟାକ୍ଷ କରିଛନ୍ତି ଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଁ ଅତ୍ୟନ୍ତ ଗମ୍ଭୀରତାର ସହ କହିବାକୁ ଚାହେଁ ଯେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଯେଉଁସବୁ ସମସ୍ୟା ଉପୁଜିଛି ତାହାର ଜନନୀ ହେଉଛି କଂଗ୍ରେସ। ଏସବୁ ସମସ୍ୟା ପାଇଁ ସେଠାକାର ଲୋକମାନେ ଦାୟୀ ନୁହଁନ୍ତି ବରଂ ଏହା ହେଉଛି କଂଗ୍ରେସର ସୁଚିନ୍ତିତ ରାଜନୀତି । ଉଗ୍ରବାଦୀ ଗୋଷ୍ଠୀଙ୍କ ଇଚ୍ଛାରେ ଯେଉଁ ସମୟରେ ସବୁକିଛି ଘଟୁଥିଲା ସେତେବେଳେ ମଣିପୁରରେ କାହାର ସରକାର ଥିଲା ବୋଲି ପ୍ରଶ୍ନ କରିଛନ୍ତି ନରେନ୍ଦ୍ର ମୋଦି। ସରକାରୀ କାର୍ଯ୍ୟାଳୟରେ ଯେତେବେଳେ ମହାତ୍ମା ଗାନ୍ଧିଙ୍କ ଛବି ରଖିବାକୁ ଅନୁମତି ଦିଆଯାଉ ନଥିଲା ଏବଂ ବିଦ୍ୟାଳୟରେ ଜାତୀୟ ସଂଗୀତ ଗାନ କରିବାକୁ ଅନୁମତି ଦିଆଯାଇନଥିଲା ସେତେବେଳେ ମଣିପୁରରେ କାହାର ସରକାର ଥିଲା ବୋଲି ପ୍ରଶ୍ନ କରିବା ସହ କଡ଼ା ସମାଲୋଚନା କରିଛନ୍ତି ମୋଦି ।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ମୋଦୀ ଟାର୍ଗେଟ୍ କରିଥିଲେ। ରାହୁଲ ସଂସଦରେ କହିଥିଲେ ମଣିପୁରରେ ଭାରତ ମାତାର ହତ୍ୟା କରାଯାଇଛି। ଏହି ପ୍ରସଙ୍ଗରେ ମୋଦି ରାହୁଲଙ୍କୁ ଜବାବ ଦେଇ କହିଛନ୍ତି, କିଛି ଲୋକ ‘ଭାରତ ମାତାର ମୃତ୍ୟୁ ’ ଚାହୁଁଛନ୍ତି। ସେମାନେ ଏଭଳି କହିପାରୁଛନ୍ତି କେମିତି ବୋଲି ମୋଦି କହିଥିଲେ?
ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିଜେପି ଏବଂ ଏନଡିଏ ସାଂସଦମାନଙ୍କୁ ବହୁମାତ୍ରାରେ ଉତ୍ସାହିତ କରିଥିଲା। ସେମାନେ ଟେବୁଲ ବାଡ଼େଇବା ସହିତ ଛିଡ଼ା ହୋଇ ଖୁସିର ସହକାରେ ସ୍ବାଗତ ଜଣାଇଥିଲେ। ଅନେକ ସମୟରେ ସରକାରଙ୍କ ନିଷ୍ପତ୍ତି ସହିତ ଏକମତ ନଥିବା ନେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ଗୃହମନ୍ତ୍ରୀଙ୍କ ପାଖରେ ବସି ଟେବୁଲ ବାଡ଼େଇବା ସହ ଛିଡ଼ା ହୋଇ ସ୍ବାଗତ କରିଥିଲେ ।