ନ୍ୟୁଜ୍ 365(ବ୍ୟୁରୋ): ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖି ଆଇଏନଡିଆଏ ମେଣ୍ଟକୁ ଘେରିଛନ୍ତି ଧାନମନ୍ତ୍ରୀ ମୋଦି। ୨୦୨୪ ନିର୍ବାଚନରେ ଏନ୍ଡିଏର ବିଶାଳ ବିଜୟ ନେଇ ଭବିଷ୍ୟବାଣୀ କରିବା ସହ ୨୦୨୮ର ପୁଣି ବିରୋଧୀ ମେଣ୍ଟ ଅନାସ୍ଥା ପାଇଁ ପ୍ରସ୍ତୁତ ରହିବାକୁ ମୋଦି କହିଛନ୍ତି। ୧୯୯୧ରେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଥିଲା, ମାତ୍ର ୨୦୧୪ ପରେ ଦେଶ ଶୀର୍ଷ ୫ଟି ଅର୍ଥନୀତି ମଧ୍ୟରେ ରହିଛି। ୨୦୨୮ରେ ଅନାସ୍ଥା ଆଣିବା ବେଳକୁ ଆମେ ଶୀର୍ଷ ୩ ଅର୍ଥନୀତି ମଧ୍ୟରେ ଥିବୁ ବୋଲି ପ୍ରଧାମନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି । ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି ମଧ୍ୟ ମୋଦି କହିଛନ୍ତି। ୨୦୨୮ରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାବେଳେ ପ୍ରସ୍ତୁତ ହୋଇ ଆସିବାକୁ କଟାକ୍ଷ କରି କହିଛନ୍ତି ମୋଦି ।
ପାର୍ଲାମେଣ୍ଟରେ ଅନାସ୍ଥା ପ୍ରସ୍ତାବର ଉତ୍ତର ଦେବାବେଳେ କଂଗ୍ରେସକୁ ଆକ୍ରମଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଇତିହାସର ସାହାରା ନେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ୧୯୬୬ ମାର୍ଚ୍ଚ ୫ ତାରିଖରେ କଂଗ୍ରେସ ଭାରତୀୟ ବାୟୁ ସେନାକୁ ବ୍ୟବହାର କରି ମିଜୋରାମର ଅସହାୟ ଜନତାଙ୍କ ଉପରେ ଆକାଶ ମାର୍ଗରୁ ବୋମାମାଡ଼ କରିଥିଲା। ଭାରତ ଇତିହାସରେ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ଭାରତୀୟଙ୍କ ବିରୋଧରେ ବାୟୁସେନାର ବ୍ୟବହାର କରାଯାଇଥିଲା। ସେହିଭଳି ୧୯୬୨ ଚୀନ୍ ଆକ୍ରମଣ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେଡିଓ ଭାଷଣ ପ୍ରସଙ୍ଗ ଉଠାଇଥିଲେ ମୋଦି। ମୋଦି କହିଥିଲେ, ଚୀନ୍-ଭାରତ ଯୁଦ୍ଧ ସମୟରେ ନେହେରୁ ଅଲ୍ ଇଣ୍ଡିଆ ରେଡିଓରେ ଦୁଃଖଦାୟକ ଭାଷଣ ଦେଇଥିଲେ।