ନ୍ୟୁଜ୍ 365(ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିସାରିଲାଣି ୨ ମାସ। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଚିହ୍ନଟ ହୋଇନପାରି ଏବେ ବି ପଡ଼ିରହିଛି ୨୯ ମୃତଦେହ। ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୯ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଶବଗୁଡିକ ଭୁବନେଶ୍ୱର ଏମ୍ସରେ ରଖାଯାଇଛି ।
ଏନେଇ ପୂର୍ବ ତଟ ରେଳବାଇର ସିପିଆରଓ ବିଶ୍ୱଜିତ ସାହୁ କହିଛନ୍ତି ଯେ ଆମେ ଜନସାଧାରଣଙ୍କୁ ସେମାନଙ୍କର ଡିଏନଏ ପରୀକ୍ଷା ପାଇଁ ଆଗକୁ ଆସିବାକୁ ନିବେଦନ କରୁଛୁ ଯାହା ଦ୍ବାରା ଯଦି ପରିବାରର କେହି ନିଖୋଜ ଅଛନ୍ତି, ତେବେ ସେମାନେ ସେମାନଙ୍କର ଡିଏନଏ ପରୀକ୍ଷା ଏମ୍ସରେ ଦେଇପାରିବେ। ଜୁନ୍ ୨ ରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଥିଲେ। ସେପଟେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ମୃତ ଶରୀରକୁ ଭୁଲ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ପଶ୍ଚିମବଙ୍ଗରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ୨୨ ବର୍ଷର ପୁଅର ଶବ ବିହାରର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।