ନ୍ୟୁଜ୍ 365(ବ୍ୟୁରୋ): ଉଠାଣି, ଚଢାଣି, ବିପଦ, କୋଟିଏ ସମସ୍ୟା ଭିତର ଦେଇ ଓଡ଼ିଆ ସାମ୍ବାଦିକତା ଏଇ ରାସ୍ତା ପାର୍ କରି ଆସିଛି । ଆଜିର ଦିନରେ ଓଡ଼ିଆ ଖବରକାଗଜ ସଂସାର ତା’ର ୧୫୭ ବର୍ଷ ପୂର୍ତ୍ତି ପାଳନ କରି ୧୫୮ବର୍ଷରେ ପାଦ ଦେଇଛି । କୌଣସି ଭାଷା ସାମ୍ବାଦିକତା ଇତିହାସରେ ୧୫୮ ବର୍ଷର ଯାତ୍ରା କିଛି କମ୍ ଗୌରବର କଥା ନୁହେଁ । ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। ଅଗଷ୍ଟ ୪, ୧୮୬୬ରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ଜନ୍ମ ନେଇଥିଲା । ସତ୍ୟ,ନିରପେକ୍ଷ ସମ୍ବାଦ, ପରିବେଷଣ ସହ ଓଡିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ଅବଦାନ ଥିଲା ସ୍ମରଣୀୟ।
ଯେଉଁ ବର୍ଷ ନଅଙ୍କ ଦୁର୍ଭିକ୍ଷରେ ସାରା ଓଡ଼ିଶା ଆଉଟୁପାଉଟୁ ହେଉଥିଲା ସେହି ବର୍ଷ ‘ଉତ୍କଳ ଦୀପିକା’ ଜନ୍ମ ନେଇଥିଲା । କର୍ମବୀର ଗୌରୀଶଙ୍କର ରାୟ ଏବଂ ରେଭେନ୍ସାଙ୍କ ସିରସ୍ତାଦାର ଥିବା ବିଚିତ୍ରାନନ୍ଦ ଦାସଙ୍କ ଅକ୍ଳାନ୍ତ ଉଦ୍ୟମର ଫଳ ଥିଲା ସେଇ ଖବରକାଗଜ । ‘ଉତ୍କଳ ଦୀପିକା’ର ପ୍ରକାଶନରୁ ହିଁ ପ୍ରକୃତ ଅର୍ଥରେ ଆରମ୍ଭ ହୋଇଥିଲା ଓଡ଼ିଆ ଭାଷା ସାମ୍ବାଦିକତାର ରୋମାଂଚକର ଯାତ୍ରା । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଦୀପିକା ଥିଲା ପ୍ରମୁଖ ଅବଦାନ। ଉତ୍କଳ ଦୀପିକା’ ନଅଙ୍କ ଦୁର୍ଭିକ୍ଷର ପ୍ରକୃତ ଚିତ୍ର ଇଂରେଜ ସରକାରଙ୍କ ସାମ୍ନାକୁ ଆଣିଥିଲା । ଏହାର ପ୍ରକାଶନ ସହିତ ଜଡ଼ିତ ଲୋକମାନେ ଇଂରେଜ ପ୍ରଶାସନରେ ଚାକିରି କରୁଥିଲେ ମଧ୍ୟ ସେମାନେ ସରକାରୀ ନୀତିର ସମାଲୋଚନା କରିବାକୁ ପଛାଇ ନଥିଲେ। ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଓଡ଼ିଶାରେ ସାମାଜିକ ସଂସ୍କାର ପାଇଁ ଉଦ୍ୟମ କରିଥିଲା।
ଓଡ଼ିଆ ଭାଷାକୁ ହତାଦର କରି ବଙ୍ଗଳା ଭାଷାକୁ ସେହି ସମୟରେ ଅଧିକ ଗୁରୁତ୍ବ ଦିଆଯାଉଥିଲା ଫଳରେ ଓଡ଼ିଆ ସାହିତ୍ୟକୁ ସୁଦୃଢ଼ କରିବାକୁ ପ୍ରଚାର ପ୍ରସାରର ଆବଶ୍ୟକତା ଥିଲା। ଉତ୍କଳ ଦୀପିକା ଓଡିଶାର ସାମାଜିକ-ରାଜନୈତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଓଡିଆ ଖବର କାଗଜ ମାଧ୍ୟମରେ ବହୁ ଭାଷାଭାଷୀ ଅଂଚଳର ଏକତ୍ରୀକରଣ, ଲୋକଙ୍କ ସ୍ୱାର୍ଥ ଆଦିକୁ ପ୍ରଧାନ୍ୟ ଦିଆଯାଉଥିଲା। ଖବରକାଗଜ ହିସାବରେ ସାଧାରଣ ମଣିଷଙ୍କ କଥା କହିବାରେ ‘ଉତ୍କଳ ଦୀପିକା’ ଯେଉଁ ଆଦର୍ଶ ଛାଡ଼ି ଯାଇଥିଲା, ତାହା ପରବର୍ତ୍ତୀ ସମସ୍ତ ପ୍ରକାଶନୀ ପାଇଁ ମାନଦଣ୍ଡ ଭାବେ ଉଭା ହୋଇଥିଲା। ଓଡ଼ିଆ ଖବରକାଗଜ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଭାଷା ସୁରକ୍ଷା ଦିଗରେ ସର୍ବାଧିକ ସହାୟକ ହୋଇଥିଲା ।
ପୁଣି ସମାନ୍ତରାଳ ଭାବେ ଏହା ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ ମଧ୍ୟ ଜଣାଇ ଥିଲା । ସ୍ୱାଧୀନତା ପରେ ସାରା ଦେଶରେ ଖବରକାଗଜ ଗୁଡ଼ିକ ଗଠନାତ୍ମକ ଚିନ୍ତା ନେଇ ଆଗେଇ ଚାଲିଛି । ଧୀରେ ଧୀରେ ଖବରକାଗଜ ସଂଖ୍ୟା ମଧ୍ୟ ବଢିଛି। ଖବର କାଗଜରୁ ଆମେ ଟେଲିଭିଜନରେ ପାଦ ଦେଇଛନ୍ତି। ୱେବ୍ ସାଇଟ୍, ଇ-ପେପର୍ ଆସିଛି। ହେଲେ ମଧ୍ୟ ଆଜି ଖବରକାଗଜର ଚାହିଦା କିନ୍ତୁ କମି ନାହିଁ, ସକାଳ ପାଇଲେ ଆଜିବି ଖବରକାଗଜ ପଢା ରୁ ଆରମ୍ଭ ହେଉଛି ଲୋକଙ୍କ ଦିନ, ଖବରକାଗଜ କଥା ଆସିଲେ ଏବେ ବି ଆଖି ସାମ୍ମାକୁ ଚାଲି ଆସୁଛି ଉତ୍କଳ ଦୀପିକାର ଗୈାରବର ଦିନ।