ନ୍ୟୁଜ୍ 365(ବ୍ୟୁରୋ): ହସି ହସି ଦେଶ ପାଇଁ ସେ ଦେଇଥିଲେ ଜୀବନ । ନୂଆଁଇ ନଥିଲେ ଇଂରେଜଙ୍କ ଆଗରେ ମୁଣ୍ଡ। ସେ କହୁଥିଲେ ଜୀବନ ପଛେ ଚାଲିଯାଉ ହେଲେ ଇଂରେଜଙ୍କ ଆଗରେ କେବେ ମୁଣ୍ଡ ନୂଆଁଇବାର ନାହିଁ । ତାଙ୍କ ବୀରତ୍ବ ପଣ ହିଁ ଇଂରେଜଙ୍କ ବିରୋଧରେ ଲଢିବାକୁ ଦେଇଥିଲା ଅନ୍ୟମାନଙ୍କୁ ପ୍ରେରଣା। ମୃତ୍ୟୁଦଣ୍ଡ ନିଶ୍ଚିତ ବୋଲି ଜାଣି ସୁଦ୍ଧା ସେ ବିଚଳିତ କିମ୍ବା ବିବ୍ରତ ନଥିଲେ। ଇଂରେଜ ଶାସକଙ୍କୁ ଶୁଣାଇଥିଲେ ସତର୍କ ବାଣୀ । ସେ କହିଥିଲେ ‘ହେ ଗୋଲାମ ଦଳ, ଭାରତ ଛାଡ଼ିବାକୁ ପ୍ରସ୍ତୁତ ହୁଅ, ନଚେତ୍ ମାତୃଭୂମିର ମାନ ରକ୍ଷା ପାଇଁ ମୋ ଚିତା ଭସ୍ମରୁ ଜନ୍ମ ନେବେ ହଜାର ହଜାର ଜୟୀ ରାଜଗୁରୁ। ତାଙ୍କ ତ୍ୟାଗ,ବଳିଦାନ,ବୀରତ୍ବର ଗାଥା,ଦେଶପ୍ରେମ ଇଂରେଜ ସରକାରଙ୍କୁ କରିଥିଲା ଥରହର। ଯାହା ତାଙ୍କୁ ଆଜି ବି ଅମର କରି ରଖିଛି। ସ୍ବାଧୀନତା ସଂଗ୍ରାମର ସେ ହେଉଛନ୍ତି ପ୍ରଥମ ସହିଦ। ପାଇକବିଦ୍ରୋହର ସୂତ୍ରଧର,ଓଡିଶା ମାଟିର ବୀରପୁତ୍ର ମହାନ୍ ବିପ୍ଲବୀ ଜୟୀ ରାଜଗୁରୁ। ତାଙ୍କ ପୁରା ନାମ ଜୟକୃଷ୍ଣ ରାଜଗୁରୁ ମହାପାତ୍ର।
୧୮୦୬ ଡିସେମ୍ବର ୬ ତାରିଖରେ ଜୟୀ ରାଜଗୁରୁଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ମେଦିନିପୁର ଜେଲ୍ର ନାଳ ନିକଟରେ ଥିବା ବାଘିତୋଟାର ବରଗଛର ଦୁଇଟି ଡାଳକୁ ଭିଡ଼ିଆଣି ବିପ୍ଳବୀ ଜୟୀ ରାଜଗୁରୁଙ୍କର ହାତ ଓ ଗୋଡ଼କୁ ବାନ୍ଧି ଡାଳ ଦୁଇଟିକୁ ଛାଡ଼ି ଦିଆଯାଇଥିଲା। ଜୟୀ ରାଜଗୁରୁଙ୍କ ଶରୀର ହୋଇଯାଇଥିଲା ଦୁଇଫାଳ। ଝରଝର ତାଜା ରକ୍ତରେ କାନ୍ଦି ଉଠିଥିଲା ମାଟି ମାଆ । ସ୍ତବ୍ଧ ହୋଇଯାଇଥିଲା ମାନବ ସମାଜ। ମାତ୍ର ତାଙ୍କର ସ୍ବାଭିମାନ,ଦେଶପ୍ରେମ ଜନ୍ମ ଦେଇଥିଲା ହଜାର ହଜାର ଜୟୀରାଜଗୁରୁଙ୍କୁ । ଏ ମାଟିର ମହାନ ବୀର ଜୟୀରାଜଗୁରୁ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ଶାସନରେ ୧୭୩୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପିଲାଦିନରୁ ସେଥିଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ। ପିତା ଚାନ୍ଦ ରାଜଗୁରୁଙ୍କ ପରେ ୧୭୮୦ ମସିହାରେ ୪୧ ବର୍ଷ ବୟସରେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ଦ୍ୱିତୀୟ ରାଜସଭାରେ ରାଜଗୁରୁ ତଥା ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ । ଏହା ପରଠାରୁ ସେ ଜୟୀ ରାଜଗୁରୁ ରୂପେ ପରିଚିତ ହୋଇଥିଲେ।
ନିଜର ବିଚକ୍ଷଣ ବୁଦ୍ଧି, ଦେଶପ୍ରୀତି, ଭକ୍ତି, ସାହାସ ଶକ୍ତି ବଳରେ ଜିଣିଗଲେ ଖୋର୍ଦ୍ଧା ରାଜାଙ୍କର ହୃଦୟ । ଦିବ୍ୟସିଂହ ଦେବଙ୍କ ଅନ୍ତେ ତାଙ୍କ ନାବାଳକ ପୁତ୍ର ମୁକୁନ୍ଦଦେବ ଦ୍ୱିତୀୟଙ୍କୁ ସିଂହାସନରେ ବସାଇ ସେ ୧୭୯୮ରେ ପ୍ରକୃତ ରାଜକାର୍ଯ୍ୟ ନିଜ ହାତକୁ ନେଇଥିଲେ । ରାଜ୍ୟର ସୁରକ୍ଷା କମାଣ ଥିଲା ରାଜଗୁରୁଙ୍କ ହାତରେ । ୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କଠାରୁ କର ମାଗିଥିଲେ । ଯାହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଇଥିଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ। ଇତିହାସରେ ଇଂରେଜମାନଙ୍କ ବିରୁଦ୍ଧରେ ସେ ଭାରତର ପ୍ରଥମ ଶହୀଦ ଭାବେ ପରିଚିତ ଥିଲେ ବୋଲି କୁହାଯାଏ । କିନ୍ତୁ ତାଙ୍କ ଲଢେଇ ମୁଖ୍ୟତଃ ଇଂରେଜମାନଙ୍କଦ୍ୱାରା ଅଧିକୃତ ସାମନ୍ତ ଅଞ୍ଚଳ ପାଇଁ ଥିଲା ।
ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଇଂରେଜମାନେ ୧୮୦୩ ମସିହାରେ ଦଖଲ କଲେ। ଓଡ଼ିଶାର ଏହି ଦୁର୍ଦ୍ଦିନରେ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ଖୋର୍ଦ୍ଧା ରାଇଜର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ନାବାଳକ ପୁତ୍ର ମୁକୁନ୍ଦଦେବ ଖୋର୍ଦ୍ଧା ରାଜସିଂହାସନରେ ଅଳଙ୍କୃତ ହେଲେ ସତ; କିନ୍ତୁ ଅଭିଜ୍ଞ, ଦକ୍ଷ ରାଜନୀତିଜ୍ଞ, କୁଶଳୀ କୁଟନୀତିଜ୍ଞ, ସେନାଧ୍ୟକ୍ଷ, ମହାମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା ଜୟୀ ରାଜଗୁରୁଙ୍କ ମୁଣ୍ଡରେ ରାଜ୍ୟର ସମଗ୍ର ଭାର ଲଦି ହୋଇଗଲା। ଦେଶରକ୍ଷା ଥିଲା ତାଙ୍କର ମୂଳମନ୍ତ୍ର। ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ କରି ରାଜ୍ୟର ଅଖଣ୍ଡତା ବଜାୟ ରଖିବା ଥିଲା ତାଙ୍କର ପ୍ରଥମ କାମ। ଜୟୀ ରାଜଗୁରୁ ପାଇକମାନଙ୍କ ମଧ୍ୟରେ ଦେଶ ପାଇଁ ଜାଗରଣ ଭାବନା ସୃଷ୍ଟି କରି ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ନିମନ୍ତେ ସାଧନା କରିଥିଲେ। ଗାଁକୁ ଗାଁ ପାଦରେ ଚାଲି ଚାଲି ସେ ପାଇକମାନଙ୍କୁ ଯୁଦ୍ଧପାଇଁ ପ୍ରସ୍ତୁତ କରାଉଥିଲେ। ସେ ପାଇକ ଆଖଡ଼ାମାନଙ୍କରେ ନିଜ ସମର ଶିକ୍ଷା ଦେଉଥିଲେ। କୁହାଯାଏ ସେ ହିଁ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କୌଶଳ ଆରମ୍ଭ କରିଥିଲେ।
ତାଙ୍କରି ଉଦ୍ୟମରେ ଓଡ଼ିଶାର ଚାରିଆଡ଼େ ପାଇକ ଜାଗରଣ ଦେଖା ଦେଇଥିଲା। ରୋଡଙ୍ଗର ବକ୍ସି ଦିଗମ୍ବର ଭୂୟାଁ, ବାଇସୁନ୍ଦର ପ୍ରମୂଖ ଜୟୀ ରାଜଗୁରୁଙ୍କୁ ସାହାଯ୍ୟ କରି ଜାଗରଣର ନେତୃତ୍ବ ନେଇଥିଲେ। ଓଡ଼ିଶାକୁ ବାହାର ଶତ୍ରୁ ଆକ୍ରମଣରୁ ରକ୍ଷା କରିବାପାଇଁ ସେ ବରୁଣାଇ ଗଡ଼କୁ ସୁଦୃଢ଼ କରିଥିଲେ। ୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଇଂରେଜମାନ ପାଇଁ ଶକ୍ତ ଧକ୍କା ଥିଲା । ଏହାର ପ୍ରତିରୋଧ କରିବା ପାଇଁ ସେମାନେ ମାନ୍ଦ୍ରାଜରୁ ଅଧିକ ସୈନ୍ୟ ମଗାଇଲେ। ୧୮୦୪ ଡିସେମ୍ବରରେ ବରୁଣାଇ ପାହାଡ଼ ନିକଟସ୍ଥ ବରୁଣାଇ ଗଡ଼ରେ ଇଂରେଜ ବାହିନୀର ୭ ହଜାର ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋର୍ଧା ପାଇକ ଲଢ଼ି ନିଜ ବୀରତ୍ୱର ପ୍ରଦର୍ଶନ କରିଥିଲେ, ଯାହା ଇଂରେଜମାନଙ୍କୁ ନିରାଶ କରିଥିଲା । କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ଇଂରେଜ ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ ଓ ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗକୁ ଅକ୍ତିଆର କରିବାରେ ସଫଳ ହେଲେ। କିନ୍ତୁ ତାଙ୍କ ସାହାସ ପିଢୀ ପରେ ପିଢୀ ଇଂରେଜମାନଙ୍କ ସହ ଲଢିବାକୁ ପ୍ରେରଣା ଦେଇଥିଲା ଆଉ ପଛକୁ ହଟିଥିଲା ବ୍ରିଟିଶ ସେନା।