ନ୍ୟୁଜ୍ 365 (ବ୍ୟୁରୋ): ପୌରାଣିକ ମତ ଅନୁସାରେ ରାକ୍ଷସ ମହିଷାସୁର ହତ୍ୟାପାଇଁ ମା ଦୁର୍ଗାଙ୍କର ଜନ୍ମ । ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ମହିଷାସୁର ତିନିପୁରରେ ଭୟାବହ ସ୍ଥିତି ସୃଷ୍ଟି କରିଥିଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ କରିଚାଲୁଥିଲା ଅତ୍ୟାଚାର । ଫଳରେ ଦେବଗଣ ଅତିଶୟ ହୋଇ ବ୍ରହ୍ମାଙ୍କୁ ନିଜର ଦୁଃଖ ଜଣାଇଲେ । ସର୍ବସମ୍ମତି ପରେ ବ୍ରହ୍ମା ଓ ଶିବ ଦେବତାମାନଙ୍କୁ ନେଇ ବିଷ୍ଣୁଙ୍କ ନିକଟରେ ପହଁଞ୍ଚିଲେ । ଦେବତାମାନଙ୍କର ଦୁର୍ଦ୍ଦଶା ଶୁଣି ଉଭୟ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧ ପ୍ରକାଶ କଲେ । ତେବେ ତପବଳରେ ବ୍ରହ୍ମାଙ୍କ ଠାରୁ ବର ପାଇଥିବା ମହିଷାସାରର ହତ୍ୟା କରିବା ଏତେ ସହଜ ନଥିଲା । ତେଣୁ ବ୍ରହ୍ମା, ବିଷ୍ଣୁ ଓ ଶିବ ତିନିଦେବତାଙ୍କ ମୁଖରୁ ଗୋଟିଏ କାଳାନଳ ସଦୃଶ ତେଜ ପ୍ରକାଶ ହେଲା । ତତ୍ ସହିତ ଇନ୍ଦ୍ର ଓ ସମଗ୍ର ଦେବଗଣଙ୍କ ମୁଖରୁ ମଧ୍ୟ ତେଜ ନିର୍ଗତ ହେଲା ।
ସମସ୍ତ ତେଜ ଧିରେ ଧିରେ ଆକାଶରେ ସମ୍ମିଳିତ ହୋଇ ଏକାକାର ହୋଇଗଲା । ଏହିତେଜରେ ସମସ୍ତ ଦେବା ଦେବୀ ନିଜ ନିଜର ଶକ୍ତି ପ୍ରଦାନ କଲେ । ଯାହାର ଆକଳନ ଏକ ଦିବ୍ୟ ନାରୀ ରୂପରେ ହୋଇଥିଲା । ତେବେ ଶିବଙ୍କ ତେଜରେ ସେହି ଦିବ୍ୟନାରୀର ମୁଖ, ଯମଙ୍କ ତେଜରୁ କେଶ, ବିଷ୍ଣୁଙ୍କ ତେଜରୁ ଭୁଜ, ଚନ୍ଦ୍ରଙ୍କ ତେଜରୁ ଦୁଇସ୍ତନ, ଇନ୍ଦ୍ରଙ୍କ ତେଜରୁ ମଧ୍ୟଦେଶ, ବରୁଣଙ୍କ ତେଜରୁ ଜଙ୍ଘ ଓ ଉରୁ, ପୃଥିବୀଙ୍କ ତେଜରୁ ନିତମ୍ବ, ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଚରଣର ଆଙ୍ଗୁଠି, ବସୁଗଣଙ୍କ ତେଜରୁ ହସ୍ତର ଅଙ୍ଗୁଳି, କୁବେରଙ୍କ ତେଜରୁ ନାସିକା, ନବପ୍ରଜାପତିଙ୍କ ତେଜରୁ ଦନ୍ତାବଳୀ, ଅଗ୍ନିଙ୍କ ତେଜରୁ ତ୍ରିନେତ୍ର ସୃଷ୍ଟି ସମ୍ଭବ ହୋଇଥିଲା । ସନ୍ଧ୍ୟାଙ୍କ ତେଜରୁ ଭ୍ରୂକୁଟୀ, ପବନଙ୍କ ତେଜରୁ କର୍ଣ୍ଣ, ଅନ୍ୟାନ୍ୟ ଦେବତାଗଣ ଓ ବିଶ୍ୱକର୍ମାଙ୍କ ତେଜରୁ ଦେବୀଙ୍କର ସମଗ୍ର ଶରୀର ସୃଷ୍ଟି ହୋଇଥିଲା । ଦେବୀଙ୍କ ଦିବ୍ୟରୂପ ଦେଖି ଦେବତା ଗଣ ଭାବିଲେ ଯେ ଏ ନିଶ୍ଚୟ ଆମର ଦୁର୍ଗତି ନାଶ କରିବ ।
ସମଗ୍ର ଦେବତା ସେହି ଦିବ୍ୟନାରୀର ନାମ ରଖିଲେ ‘ଦୁର୍ଗା’ । ତା’ପରେ ଦେବଗଣ ନିଜ ନିଜର ଦିବ୍ୟାସ୍ତ୍ର ଦେବୀଦୁର୍ଗାଙ୍କୁ କାଳେ ପ୍ରଦାନକରିଥିଲେ । ପ୍ରଥମେ ଶିବ ନିଜର ତ୍ରିଶୂଳ ପ୍ରଦାନ କଲେ । ବିଷ୍ଣୁ ଚକ୍ର, ଅଗ୍ନି ଶକ୍ତି, ପବନ ଧନୁର୍ବାଣ, ଇନ୍ଦ୍ର ବଜ୍ର ଓ ଘଣ୍ଟା, ଯମରାଜ କାଳଦଣ୍ଡ, ବରୁଣ ପାଶ ଓ ଶଙ୍ଖ, ଦକ୍ଷ ପ୍ରଜାପତି ଅକ୍ଷମାଳା ଏବଂ ବ୍ରହ୍ମା ଦେବୀଙ୍କୁ କମଣ୍ଡଳୁ ଏହିଭଳି ସମସ୍ତ ଦେବଗଣ ନିଜନିଜର ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ । ଦେବୀଙ୍କର ସମଗ୍ର ଅବୟବ ପୂର୍ଣ୍ଣ ନହେବାରୁ, ସୂର୍ଯ୍ୟ ତାଙ୍କ ପ୍ରତି ଲୋମରେ କିରଣମାଳା ପୂର୍ଣ୍ଣ କରିଦେଲେ, ମହାକାଳ ଦେବୀଙ୍କୁ କାଳର ଲହଲହ ଜିହ୍ନା ସଦୃଶ ଗୋଟିଏ ଖଡ୍ ଗ ପ୍ରଦାନ କଲେ । କ୍ଷୀର ସମୁଦ୍ର ଦେବୀଙ୍କ ଶରୀରର ସୌନ୍ଦର୍ଯ୍ୟକୁ ବର୍ଦ୍ଧିତ କରାଇ ବସ୍ତ୍ର, ଉତ୍ତରୀୟ, ମୋତିମାଳା, ଚୂଡାମଣି, ଦିବ୍ୟକୁଣ୍ଡଳ ତଥା କଙ୍କଣ ପ୍ରଦାନ କଲେ । ଚନ୍ଦ୍ରମା ଦେବୀଙ୍କ ଦୁଇପାଦରେ ରୁଣୁଝୁଣୁ ପାହୁଡ, ବାହୁରେ ବାଜୁବନ୍ଧ, କଣ୍ଠରେ ଚାପସରୀ ଓ ଅଙ୍ଗୁଳିମାନଙ୍କରେ ରତ୍ନମୁଦ୍ରିକା ପିନ୍ଧାଇ ଦେଲେ । ବିଶ୍ୱକର୍ମା ଦେବୀଙ୍କୁ ଗୋଟିଏ ଅଭେଦ୍ୟ କବଚ ଓ ତୀକ୍ଷ୍ ଣ ଧାରଯୁକ୍ତ ପରଶୁ, କୁବେର ଗୋଟିଏ ସୁନ୍ଦର ପାନପାତ୍ର, ଅନନ୍ତନାଗ ଗୋଟିଏ ମଣିଖଚିତ ନାଗହାର ପ୍ରଦାନ କଲେ । ପରିଶେଷରେ ହିମାଳୟ ଦେବୀଙ୍କ ବାହନ ରୂପେ ଏକ ସିଂହ ପ୍ରଦାନ କଲେ ।
ଦେବୀ ଦୁର୍ଗା ସିଂହ ଉପରେ ଆସୀନ ହେବା ମାତ୍ରେ ସମୁଦ୍ର ଏକ ପଦ୍ମମାଳା ଆଣି ତାଙ୍କ ଗଳାରେ ଲମ୍ବାଇ ଦେଲେ । ଏହିପରି ଜଣଙ୍କ ପରେ ଜଣେ ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଶେଷରେ ରାକ୍ଷସ ମହିଷାସୁରର ଅନେକ ମହିଷାସୁର ନିଜର ମାୟାବୀ ଶକ୍ତିଦ୍ୱାରା ମହାମାୟାଙ୍କ ଉପରେ ଆକ୍ରମଣ କଲା, ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହଦେବ ତାଙ୍କୁ ମଧୁ ପାନ କରିବାକୁ ଦେଇଥିଲେ। ଦେବୀ ପୁନଶ୍ଚ ଯୁଦ୍ଧରେ ନିମଗ୍ନା ହେଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ତ୍ରୀଶୂଳଦ୍ୱାରା ମହିଷାସୁର ରାକ୍ଷାସକୁ ବଦ୍ଧ କରିଥିଲେ ।