ନ୍ୟୁଜ 365(ବ୍ୟୁରୋ): କୁହାଯାଏ ଆଦିଶକ୍ତିଙ୍କ ଆରଧାନାର ପୀଠ ଓଡ଼ିଶା । ତନ୍ତ୍ର ସାଧନାଠୁ ଆରମ୍ଭ କରି ଶକ୍ତି ପୂଜା ଯାଏଁ ସାରାବିଶ୍ବରେ ଓଡିଶା ହେଉଠି ପ୍ରକୃଷ୍ଠ ସ୍ଥାନ । ଏଥିପାଇଁ ଓଡିଶାରେ ରହିଛି ଅନେକ ଶକ୍ତି ପୀଠ। ସେଥିମଧ୍ୟରୁ ମା ଚର୍ଚ୍ଚିକା ପୀଠ ଅନ୍ୟତମ । ଏହି ମନ୍ଦିର କଟକ ଜିଲ୍ଲାର ବାଙ୍କୀ ସହରରେ ଅବସ୍ଥିତ । ଏହି ପ୍ରାଚୀନ ଶକ୍ତି ପୀଠ ରେଣୁକା ନଦୀ କୂଳରେ ଥିବା ଋଚିକା ପର୍ବତରେ ଅବସ୍ତିତ । ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତିଟି ପର୍ଶୁରାମଙ୍କଦ୍ୱାରା ତିଆରି କରାଯାଇଥିବା ଲୋକେ ବିଶ୍ୱାସ କରନ୍ତି । ତେବେ ମହାନଦୀ କୂଳରେ ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜା ପାଉଛନ୍ତି ମା’ ଚର୍ଚ୍ଚିକା I ଅଷ୍ଟଭୁଜରେ ମା’ ଧାରଣ କରିଛନ୍ତି ଖଡ୍ଗ, ତ୍ରିଶୂଳ, ସର୍ପ, ଅଙ୍କୁଶ, ଅକ୍ଷମାଳ, ଛିନ୍ନମସ୍ତକ ଓ ଡମ୍ବରୁ I
ଗୋଟିଏ ହାତର କନିଷ୍ଠ ଅଙ୍ଗୁଳିକୁ କାମୁଡ଼ି ଧରିଛନ୍ତି ଦନ୍ତରେ I ତାଙ୍କ ଗ୍ରୀବାରେ ନରମୁଣ୍ଡ ମାଳା ପଡ଼ିଥିବାରୁ ଏବଂ ସେ ଉଲଂଗୀ ହୋଇ ଶବ ଉପରେ ଉପବିଷ୍ଟ ହୋଇଥିବାରୁ ତାଙ୍କୁ ଚାମୁଣ୍ଡା ଭାବେ ଭକ୍ତ ପୂଜା କରିଥାନ୍ତି । ଖାଲି ସେତିକି ନୁହେଁ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ଓ ମହା ନବମୀରେ ବଳି ପରମ୍ପରା ମଧ୍ୟ ରହିଛି । ମନ୍ଦିର ବେଢାରେ ପୂଜା ପାଉଥିବା ମା’ ମଙ୍ଗଳାଙ୍କ ନିକଟରେ ପଶୁବଳି ଦିଆଯିବା ପରେ ବଳିପଶୁର କଟାମୁଣ୍ଡ ଓ ରକ୍ତକୁ କିଛି ମାଟି ପାତ୍ରରେ ସଂଗ୍ରହ କରି ଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଏ I
ରାଜଗୁରୁମାନେ ଏଠାରେ ଶାରଦୀୟ ଷୋଳପୂଜା ମଧ୍ୟ କରିଥାନ୍ତି I ଏଠାରେ ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସର୍ବସାଧାରଣ ପ୍ରବେଶ ସଂପୂର୍ଣ୍ଣ ମନା ହୋଇଥାଏ I କେବଳ ପୁରୀର ଗଜପତି ମହାରାଜା, ବାଙ୍କୀ ରାଜା ଏବଂ ମନ୍ଦିର ସହ ସଂପୃକ୍ତ ସେବାୟତମାନଙ୍କୁହିଁ ଗମ୍ଭୀରା ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଥାଏ I ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ କାର୍ତ୍ତିକ, ମାଘ ଓ ବୈଶାଖରେ ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ରହିଛି ।