ନ୍ୟୁଜ 365 (ବ୍ୟୁରୋ): ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ଆଲୋଚନା କରି ଓଡ଼ିଶା ରାଜନୀତି କଥା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ୧୯୯୯ ମସିହାରେ ବାଜପେୟୀ ସରକାରଙ୍କ ବିରୋଧରେ ଆସ୍ଥା ପ୍ରସ୍ତାବ ଆସିଥିଲା। ଏହି ସମୟରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିଲେ ଗିରିଧର ଗମାଙ୍ଗୋ । ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସାରିଥିଲେ । କିନ୍ତୁ ତଥାପି ଲୋକସଭାକୁ ଭୋଟ୍ ଦେବାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ସାଂସଦଭାବେ ଭୋଟ ଦେଇଥିଲେ। । ତାଙ୍କର ଗୋଟିଏ ଭୋଟ ବାଜପେୟୀ ସରକାରଙ୍କ ପତନ ଘଟାଇଥିଲା। ତାଙ୍କ ଭୋଟକୁ ବୈଧ କି ନୁହେଁ ତାହାକୁ ନେଇ ଦେଶରେ ବିତର୍କ ହୋଇଥିଲା।
ବାଚସ୍ପତି ସଂସଦରେ ଗରିମା ରକ୍ଷା କରି ତାଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ। ହେଲେ ଏ ନେଇ ଆମେ କୌଣସି ଆପତ୍ତି ଉଠାଇନଥିଲୁ କି କୌଣସି ଚାପ ପ୍ରୟୋଗ କରିନଥିଲୁ ବୋଲି ଶ୍ରୀ ଶାହା ସମ୍ବୋଧନ ବେଳେ କହିଛନ୍ତି । ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି, ଜନତା ସବୁ ଦେଖୁଛନ୍ତି ଜନତା ସବୁ ଜାଣୁଛନ୍ତି । ଗୋଟିଏ ଭୋଟରେ ଆମର ସରକାର ଭାଙ୍ଗିଗଲା ସତ ହେଲେ ସରକାରଙ୍କ ପତନ ପରେ ଦେଶରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା।ଏହି ନିର୍ବାଚନରେ ଏନ୍ଡିଏ ବିଜୟ ହାସଲ କରିବା ସହ ବାଜପେୟୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି ଅମିତ ଶାହ ତାଙ୍କ ବକ୍ତବ୍ୟରେ କହିଥିଲେ।