ନ୍ୟୁଜ୍ 365(ବ୍ୟୁରୋ): ରାଜ୍ୟ କଦଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ। ଏହାପରେ ଗମାଙ୍ଗ ପରିବାରର କଂଗ୍ରେସରେ ରି-ଏଣ୍ଟି ନେଇ ଚର୍ଚ୍ଚା ଯୋରଧରିଛି। ଶ୍ରୀ ଗମାଙ୍ଗଙ୍କ ସମେତ ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପତ୍ନୀ ହେମା ଗମାଙ୍ଗ ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ଅନୁମାନ କରାଯାଉଛି । ଏନେଇ ଆଜି ନୂଆଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି ।
ଏ ସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ସୂଚନା ଦେଇ ଶ୍ରୀ ଗମାଙ୍ଗଙ୍କ ପୁଅ ଶିଶିର କହିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ପ୍ରାୟ ଏକ ଘଣ୍ଟା ଧରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସହ ଆଲୋଚନା କରିଥିଲେ । କଥାବାର୍ତ୍ତା ଫଳପ୍ରଦ ରହିଛି । ତାଙ୍କ ପିତା ଓ ମା’ ଉଭୟ କଂଗ୍ରେସରେ ସାମିଲ ହେବେ । ଦଳକୁ ଫେରିବା ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ପୂର୍ବ-ସର୍ତ୍ତ ରଖାଯାଇନି ବୋଲି ସେ ସ୍ପଷ୍ଟ କରିବା ସହ ଆଜିର ଆଲୋଚନା କେବଳ ଚେଲାକୁମାର ଓ ତାଙ୍କ ମଧ୍ୟରେ ହୋଇଛି । ଉଭୟ ପିତା-ମାତାଙ୍କ ସମ୍ମତିରେ ସେ ଏହି ଆଲୋଚନା କରିଛନ୍ତି ।
ଭାରତ ରାଷ୍ଟ୍ର ସମିତି(ବିଆରଏସ) ଛାଡ଼ିବା ସମ୍ପର୍କରେ ସେ କହିଛନ୍ତି ଯେ, ଦଳ ଓଡ଼ିଶାରେ ନିଜର ରାଜନୀତିକ ଗତିବିଧି କରିବାକୁ ଚାହୁଁନି । ତେଣୁ ଯେଉଁମାନେ ବିଆରଏସରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଗତ ୨-୪ଦିନ ପୂର୍ବରୁ ସମୂହ ଇସ୍ତଫା ଦେଇ ନିଜସ୍ୱ ଦଳ ଗଢ଼ି ସାରିଛନ୍ତି । ତେଣୁ ଟେକନିକାଲି ଦେଖିଲେ ଓଡ଼ିଶାରେ ବିଆରଏସ୍ ନାହିଁ । ତେଣୁ ଇସ୍ତଫା ଦେବା-ନଦେବାର କିଛି ଯଥାର୍ଥତା ନାହିଁ । କଂଗ୍ରେସକୁ ଫେରିବା ପାଇଁ ଗତ ୨-୩ ମାସ ଧରି ଚର୍ଚ୍ଚା ହେଉଛି । ନିଜର ସମର୍ଥକମାନଙ୍କ ସହ ସେମାନେ କଂଗ୍ରେସକୁ ଫେରିବେ ବୋଲି ଶିଶିର କହିଛନ୍ତି । ତେବେ ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗଦେବା ଗମାଙ୍ଗ ପରିବାର ବିଜେପିରେ ସକ୍ରିୟ ଥିଲେ।