ନ୍ୟୁଜ୍ 365(ବ୍ୟୁରୋ): ଆଜି ବିଶ୍ୱ ଆଦିବାସୀ ଦିବସ । ଏହି ଦିବସ ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ପାଳନ କରାଯାଉଛି । ବିଶ୍ବର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ଅଧିକାରର ସୁରକ୍ଷା ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ଅର୍ଥାତ ଆଜିର ଦିନକୁ ବିଶ୍ଵ ଆଦିବାସୀ ଦିବସ ଭାବରେ ପାଳନ କରାଯାଉଛି । ଆଦିବାସୀମାନେ କହୁଥିବା ଭାଷା, ବ୍ୟବହାର କରୁଥିବା ପୋଷାକ, ପର୍ବପର୍ବାଣୀର ସଂରକ୍ଷଣ ପାଇଁ ଏହି ଦିନ ପାଳନ ହେଉଛି। ଆଜି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ । ତେବେ କୋଭିଡ ଯୋଗୁଁ ଦୁଇ ବର୍ଷ ହେବ ଏହାକୁ ପାଳନ କରାଯାଇନଥିଲା । ଚଳିତବର୍ଷ କିନ୍ତୁ ସରକାରୀ ସ୍ତରରୁ ଆରମ୍ଭ କରି ସମସ୍ତ ଦଳୀୟ ଭିତରେ ଏହାକୁ ଧୁମଧାମରେ ପାଳନ କରାଯାଉଛି । ୨୦୧୧ ଜନଗଣନା ଅନୁଯାୟୀ, ଭାରତର ଜନସଂଖ୍ୟାର ପ୍ରାୟ ୮.୬ ପ୍ରତିଶତ ଅର୍ଥାତ ୧୦୪ ନିୟୁତ ଲୋକ ହେଉଛନ୍ତି ଆଦିବାସୀ ।
ଦେଶରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଲା ଓଡ଼ିଶା। ଓଡ଼ିଶାରେ ପ୍ରାୟ ୬୨ଟି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪ ପ୍ରତିଶତ ହେଉଛନ୍ତି ଆଦିବାସୀ । ଓଡ଼ିଶାରେ ୯ଟି ଆଦିବାସୀ ବହୁଳ ଜିଲ୍ଲା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ସମେତ ନବରଙ୍ଗପୁରରେ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି। ସାନ୍ତାଳ, ମୁଣ୍ଡା, ଓରାମ, ଗଣ୍ଡ, ମାଙ୍ଗଡ଼ିଆ, ଜୁଆଙ୍ଗ,ପାଉଡ଼ି ଭୁୟାଁ, କୋଟିଆ, ଭୂୟାଁ , ସଉରା ଆଦି ଅନେକ ଜନଜାତିର ଲୋକ ଆମ ରାଜ୍ୟରେ ବାସ କରୁଛନ୍ତି। ରାଜ୍ୟରେ ଏତେ ସଂଖ୍ୟାରେ ଆଦିବାସୀ ବାସ କରୁଥିଲେ ହେଁ ଆଜିଯାଏଁ ସେମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପ୍ରାୟ ଆଦିବାସୀ ବହୁଳ ଅଞ୍ଚଳକୁ ଆଜିପର୍ଯ୍ୟନ୍ତ ବିକାଶ ପହଞ୍ଚି ପାରିନି ।
ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଯେଉଁଥିରେ ଆଦିବାସୀମାନଙ୍କର ବଡ ଭୂମିକା ରହିଛି । ସେମାନଙ୍କ ସାହାଯ୍ୟରେ ଦ୍ୱାରା ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି । ହେଲେ ଏତେସବୁ ପରେ ବି ଆଦିବାସୀମାନେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ଆଉ କେଉଁଠି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ସେଠାରେ ବସବାସ କରୁଥିବା ଲୋକେ । କେନ୍ଦ୍ରର ଯୋଜନାକୁ ବାସ୍ତବ ରୂପ ଦେବାରେ ରାଜ୍ୟ ସରକାର ଫେଲ ମାରୁଥିବାରୁ ଆଦିବାସୀମାନେ ଅନେକ ସୁବିଧା ସୁଯୋଗ ପାଇପାରୁ ନାହାଁନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଦିବାସୀଙ୍କ ପିଲାଙ୍କୁ ସେତେମାତ୍ରାରେ ସୁବିଧା ମଧ୍ୟ ମିଳୁନାହିଁ । ପାଠ ଦି ଅକ୍ଷର ପଢିବା ପାଇଁ ସେମାନଙ୍କୁ ଜଙ୍ଗଲ ପାହାଡ଼ ନେଇ ଦୁର ସ୍ଥାନକୁ ଯିବାକୁ ପଡୁଛି । ନଦୀ, ନାଳ ଡେଇଁ ଯିବାକୁ କିି ପିଲା କୁଣ୍ଠା ପ୍ରକାଶ କରୁଥିବା ବେଳେ ସେମାନଙ୍କ ପାଠରେ ଡୋରି ବନ୍ଧା ହେଉଛି। ଆଲୋକ ଦେଖିବା ପୂର୍ବରୁ ଅନ୍ଧକାରକୁ ଠେଲି ହୋଇଯାଉଛି ସେମାନଙ୍କ ଭବିଷ୍ୟତ। ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନଟିକୁ ଦେଶବ୍ୟାପୀ ପାଳନ କରାଯାଉଛି।