ସିଏ ଜ୍ଞାନି ଯିଏ ମାତୃଭାଷାକୁ ଭଲ ପାଏ। ମାର ମମତାକୁ ହୃଦବୋଧ କରେ। ଭାଷାର ସୁରକ୍ଷା ପାଇଁ ପଣ କରେ, ହେଲେ କେବେ ବି ନୁଆଏଁ ନାହିଁ ମଥା। ଓଡ଼ିଆ ଅସ୍ମିତା ଓ ମାତୃଭାଷାର ଗୌରବ, ମାନବବାଦର ଆଦ୍ୟ ପ୍ରବର୍ତ୍ତକ, ଆଧୁନିକ ସାହିତ୍ୟରଥୀ, ସ୍ବଭାବ କବି ଗଙ୍ଗାଧର ମେହେର। ଏକାଧାରରେ ପ୍ରକୃତି କବି, ସ୍ୱଭାବ କବି ଭାବେ ସେ ଥିଲେ ପରିଚିତ।
ପ୍ରକୃତି ଚିତ୍ରଣରେ ତାଙ୍କର ଦୃଷ୍ଟିକୋଣ ଥିଲା ସ୍ୱତନ୍ତ୍ର। ତାଙ୍କ ଲେଖନିରେ ପଶୁପକ୍ଷୀ, ଗଛ ଲତା, ପ୍ରକୃତି ପ୍ରେମ ବାରି ହୋଇପଡୁଥିଲା। ପ୍ରକୃତି ଓ ସାମାଜିକ ଜୀବନକୁ ନେଇ ତାଙ୍କ ରଚନା ଥିଲା ଅତି ଚତ୍ମକାର।
ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଓଡ଼ିଆ ସାହିତ୍ୟ ଇତିହାସରେ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଗଙ୍ଗାଧର ମେହେରଙ୍କର ଆବିର୍ଭାବ ହୋଇଥିଲା।
ଗଙ୍ଗାଧର ମେହେର ବରଗଡ଼ ଜିଲ୍ଲାର ବରପାଲିରେ ୧୮୬୨ ମସିହା ଅଗଷ୍ଟ ୯ତାରିଖରେ ଜନ୍ମଗ୍ରହଣ କରିଥିଲେ । ଦାରିଦ୍ର୍ୟର କଷାଘାତର କଷଟି ପଥରକୁ ଦଳିମକଚି ଦେଇ କଥା କହୁଥିଲା ତାଙ୍କ କଲମର ମୁନ। ସବୁ ଦୁର୍ଦ୍ଦିନ ଭିତରେ ସୁନ୍ଦର କବିତା ରଚନା କରୁଥିଲେ ସେ । ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଭାବେ ସେ ଥିଲେ ଜଣାଶୁଣା। ସେ ତାଙ୍କ ଲେଖା ମାଧ୍ୟରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ। ଯେତେବେଳେ ସମ୍ବଲପୁରରେ ଓଡ଼ିଆ ଭାଷାକୁ ହଟାଇ ହିନ୍ଦୀ ଭାଷାର ପ୍ରଚଳନ ପାଇଁ ଚେଷ୍ଟା କରାଯାଉଥିଲା ସେତେବେଳେ ଗଙ୍ଗାଧର ମେହେର ହିଁ ଏହାକୁ ବିରୋଧ କରିଥିଲେ।
ବାସ୍ତବରେ ପରିବେଶ ପ୍ରତିକୂଳ ହେଉ କିମ୍ବା ଅନୁକୂଳ ହାର ମାନିବା ବଦଳରେ ସର୍ବଦା ନିଜର ଲେଖନୀ ଚାଳନା କରିଛନ୍ତି ସେ।
ଓଡ଼ିଆ ଭାଷା ସାହିତ୍ୟର ଅନେକ କାଳଜୟୀ କବିତା ସେ ରଚନା କରିଛନ୍ତି। ତା’ମଧ୍ୟରେ ତପସ୍ୱିନୀ ଅନ୍ୟତମ। ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, କୀଚକ ବଧ, ତପସ୍ୱିନୀ, ପ୍ରଣୟବଲ୍ଲରୀ ଲେଖନୀ ପ୍ରଭୃତି ଲୋକପ୍ରିୟ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ, ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କର ଆଦ୍ୟ ରଚନାବଳୀ ଭିତରେ ‘ରସ ରତ୍ନାକର’ ଓ ‘ଅହଲ୍ୟା ସ୍ତବ’ ଆଦି ଅନ୍ୟତମ ଥିବାବେଳେ ପଦ୍ମିନୀ ଥିଲା ତାଙ୍କର ଶେଷକୃତି। ସେ ୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଲେଖନୀ ଆଜି ବି ପିଢି ପରେ ପିଢିଙ୍କୁ ପ୍ରେରଣା ଦେଉଛି । ୧୯୨୪ ମସିହା ଏପ୍ରିଲ ୪ ତାରିଖ ଚୈତ୍ର ଅମାବାସ୍ୟା ତିଥିରେ ସେହି ମହାନ ଆତ୍ମାଙ୍କ ଦେହାନ୍ତ ହୋଇଥିଲା । ସେ ଆମମାନଙ୍କ ଗହଣରେ ନାହାନ୍ତି ସତ କିନ୍ତୁ ଜନ୍ମଭୂମି,ମାତୃଭାଷା ପ୍ରତିଥିବା ଆମର ଦାୟିତ୍ବବୋଧତାକୁ ସେ ଶିଖାଇ ଦେଇଯାଇଛନ୍ତି । ଆଜି ତାଙ୍କୁ ଝୁରୁଛି ଓଡ଼ିଶାର ମାଟି ପାଣି ଓ ପବନ।