ନ୍ୟୁଜ 365 (ବ୍ୟୁରୋ): ଭାରତ ଛାଡ଼ ଆନ୍ଦୋଳନ ରେ ଭାଗ ନେଇଥିବା ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନରେ ବ୍ରିଟିସ୍ ସରକାର ବିରୋଧରେ ମହାତ୍ମା ଗାନ୍ଧୀ ଦେଇଥିବା ‘ଭାରତ ଛାଡ଼’ ଡାକରାକୁ ସ୍ମରଣ କରିଛନ୍ତି ମୋଦି । ଔପନିବେଶୀୟ ଶାସନରୁ ଭାରତକୁ ମୁକ୍ତ କରିବାରେ ଗାନ୍ଧୀଜୀଙ୍କ ନେତୃତ୍ବରେ ହୋଇଥିବା ଏହି ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସମ୍ପ୍ରତି ଭାରତ ଏକତ୍ର ହୋଇ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ବିରୋଧ କରୁଛି ବୋଲି ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ବିଜେପି ବିରୋଧରେ କାର୍ଯ୍ୟକ୍ରମ ଚଳାଇଥିବା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ଆଜି, ଭାରତବାସୀ ଏକସ୍ବରରେ କହୁଛନ୍ତି: ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼, ତୁଷ୍ଟୀକରଣ ଭାରତ ଛାଡ଼। ବିରୋଧୀ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ରାଜନୀତି କରୁଛନ୍ତି । ତେଣୁ, ସେମାନଙ୍କୁ ପରିତ୍ୟାଗ କରିବା ଲାଗି ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।