ନ୍ୟୁଜ୍ 365(ବ୍ୟୁରୋ): ପରିବାର ବ୍ୟବସ୍ଥା ଏବଂ ସମ୍ପର୍କକୁ ସୁଦୃଢ ଓ ଅତୁଟ ରଖିବାରେ ଭାରତ ସାରା ଦୁନିଆରେ ଏକ ନମ୍ବର ସ୍ଥାନରେ । ଭାରତରେ ଛାଡ଼ପତ୍ର ମାମଲା ମାତ୍ର ଏକ ପ୍ରତିଶତ, କିନ୍ତୁ ଏମିତି ଦେଶ ଅଛି ଯେଉଁଠାରେ ୯୪ ପ୍ରତିଶତ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି ଏବଂ ଛାଡ଼ପତ୍ର ହେଉଛି । ଓ୍ୱାର୍ଲଡ ଅଫ୍ ଷ୍ଟାଟିଟିକ୍ସର ତଥ୍ୟ ମୁତାବିକ,ଏସିଆ ଦେଶରେ ବହୁତ କମ୍ ମାତ୍ରାରେ ସମ୍ପର୍କ ଭାଙ୍ଗିଥାଏ ଯେତେବେଳେ ୟୁରୋପ ଏବଂ ଆମେରିକାରେ ଅଧିକ ମାତ୍ରାରେ ପରିବାରରେ ସମସ୍ୟା ଦେଖାଦିଏ ଏବଂ ଛାଡ଼ପତ୍ର ମାମଲା ବୃଦ୍ଧି ପାଏ । ରିପୋର୍ଟ ମୁତାବିକ ଭାରତ ପରେ ଭିଏତନାମାର ନମ୍ବର ରହିଛି, ଯେଉଁଠାରେ ୭ ପ୍ରତିଶତ ଛାଡ଼ପତ୍ର ମାମଲା ଦେଖିବାକୁ ମିଳେ । ଏହାଛଡ଼ା ତାଜିକିସ୍ତାନରେ ୧୦ ପ୍ରତିଶତ, ଇରାନରେ ୧୪ ପ୍ରତିଶତ ଏବଂ ମେକ୍ସିକୋରେ ୧୭ ପ୍ରତିଶତ ଛାଡ଼ପତ୍ର ହୁଏ ।
ସବୁଠାରୁ କମ୍ ଛାଡ଼ପତ୍ର ହେଉଥିବା ଦେଶ ମଧ୍ୟରେ ଦକ୍ଷିଣଆଫ୍ରିକା, ବ୍ରାଜିଲ, ତୁର୍କୀ ଏବଂ କଲମ୍ବିଆ ରହିଛି । ଏହି ରିପୋର୍ଟରେ ପଡ଼ୋଶୀ ଦେଶ ପାକିସ୍ତାନକୁ ସାମିଲ କରାଯାଇନାହିଁ । ଜାପାନରେ ୩୫ ପ୍ରତିଶତ, ଜର୍ମାନରେ ୩୮ପ୍ରତିଶତ, ବ୍ରିଟେନରେ ୪୧ ପ୍ରତିଶତ ସମ୍ପର୍କ ଛାଡ଼ପତ୍ରର ରୂପ ନିଏ । ସେହିପରି ଚୀନରେ ୪୪ ପ୍ରତିଶତ ବିବାହରେ ଛାଡ଼ପତ୍ର ଦେଖାଦିଏ । ଆମେରିକାରେ ଏହି ସଂଖ୍ୟା ୪୫ ପ୍ରତିଶତ, ଦକ୍ଷିଣକୋରିଆ, ଡେନମାର୍କ ଏବଂ ଇଟଲିରେ ୪୬ ପ୍ରତିଶତ ବିବାହ ବନ୍ଧନ ତିଷ୍ଠି ରହିପାରେ ନାହିଁ ।
ସମ୍ପର୍କକୁ ମଝବୁତ ରଖିବାରେ ପଛରେ ରହିଛି ୟୁରୋପ । ପର୍ତ୍ତୁଗାଲରେ ସବୁଠାରୁ ଅଧିକ ୯୪ ପ୍ରତିଶତ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଛି । ଏହାଛଡ଼ା ସ୍ପେନ ପର୍ତ୍ତୁଗାଲ ପଛକୁ ରହିଛି । ସେଠାରେ ୮୫ ପ୍ରତିଶତ ବିବାହରେ ଛାଡ଼ପତ୍ର ହୁଏ । ଲଗଜମବର୍ଗରେ ୭୯ ପ୍ରତିଶତ ବିବାହ ବନ୍ଧନ ଶେଷ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ। କେବଳ ସେତିକି ନୁହେଁ ରୁଷରେ ମଧ୍ୟ ୭୩ ପ୍ରତଶତ ଛାଡ଼ପତ୍ର ହୁଏ ଏବଂ ୟୁକ୍ରେନରେ ୭୦ ପ୍ରତିଶତ ବିବାହ ବନ୍ଧନ ତିଷ୍ଠି ପାରେନାହିଁ ।
ସମାଜବିଜ୍ଞାନିଙ୍କ କହିବା ମୁତାବିକ, ଭାରତରେ ଦୀର୍ଘଦିନ ପର୍ଯ୍ୟନ୍ତ ସମ୍ପର୍କ ସଠିକ୍ ଭାବରେ ଚାଲିବା ପଛର କାରଣ ହେଉଛି ସାଂସ୍କୃତିକ ବାତାବରଣ, ଯେଉଁଠାରେ ପରିବାର ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହାଛଡ଼ା ଅଧିକ ମାତ୍ରାରେ ଛାଡ଼ପତ୍ର ମାମଲା କୋର୍ଟକୁ ଯାଇନଥାଏ ଏବଂ ପତିପତ୍ନୀ ଅଲଗା ହୋଇ ରହିଥାନ୍ତି । ଯେଉଁ କାରଣରୁ କିଛି ମାମଲା ସାମ୍ନାକୁ ଆସିପାରେନାହିଁ । ଏସବୁ ବ୍ୟତିରେକ ଅନ୍ୟ ଦେଶ ତୁଳନାରେ ଭାରତରେ ଛାଡ଼ପତ୍ର ମାମଲା ବହୁତ କମ୍ ।