ନ୍ୟୁଜ 365(ବ୍ୟୁରୋ): ବୟସ ସିନା ମାତ୍ର ୧୫ ହେଲେ ତାର ମହାନତା ବଡ ଲୋକଙ୍କୁବି ପକେଇ ଦେଲା ପଛରେ । ତାକୁ ଜଣାଥିଲା ହୁଏତ ରାତି ପାହିଲା ବେଳକୁ ସେ ଆଉ ଦୁନିଆ ଦେଖିପାରିବନି । କିନ୍ତୁ ମୃତ୍ୟୁ ପୂର୍ବରୁ ଏମିତି କିଛି କରିଗଲା କି ସବୁଦିନ ପାଇଁ ଅମର ହୋଇଗଲା । ସାନ ବୟସରୁ ତାର ଏ ମହାନତା ସମସ୍ତଙ୍କ ପାଇଁ ପ୍ରେରଣା ।
ଆଜି ମଧ୍ୟ ପରିବାର ଆଖିରୁ ଶୁଖୁନି ଲୁହ । ମାତ୍ର ୧୫ ବର୍ଷ ବୟସରେ ବଡ଼ ଝିଅକୁ ହରାଇଥିଲେ। ସେ ସମୟ ଓ ସେ ମୁହୂର୍ତ୍ତକୁ କେମିତିବା ଭୁଲିବେ ? ତଥାପି ଝିଅର ଶେଷ ମୁହୂର୍ତ୍ତର ମହତ କାମ ପାଇଁ ଆଜିବି ମନେରଖିଛି ରାଜ୍ୟ । ହଁ ଆଜ୍ଞା ଏ କାହାଣୀ ହେଉଛ ବ୍ରହ୍ମପୁରର ଡାକ୍ତର ସୁନୀତା ପ୍ରଧାନ ଏବଂ ବାପା ସପନ କୁମାର ବିନ୍ଧାଣୀ।
ଗତ ବର୍ଷ ମେ ୧୫ ତାରିଖରେ ଝିଅ ସାଇସମୃଦ୍ଧିକୁ ହରାଇଥିଲେ ସୁନୀତା । ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି । କାହିଁକି ନା ମୃତ୍ୟୁ ପରେ ନିଜର କିଡନୀ ଦେଇ ଆଉ ଜଣଙ୍କୁ ଜୀବନ ଦେଇ ଯାଇଛନ୍ତି ସାଇସମୃଦ୍ଧି ।
ଯେତେବେଳେ ଝିଅ କଥା ମନେପଡେ ସେତେବେଳେ କିଡନୀ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ସହ କଥା ହେଲେ ସାନ୍ତ୍ୱନା ମିଳେ ବୋଲି କହିଛନ୍ତି ଡାକ୍ତର ସୁନୀତା । ତେଣୁ ଅଙ୍ଗଦାନ ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ସାଇସମୃଦ୍ଧିଙ୍କ ବାପା ଓ ମାଆ।
ଚିନ୍ତାର ବିଷୟ ହେଲା ଆଜିର ଦିନରେ ଅଙ୍ଗଦାନ ପ୍ରତି ଲୋକଙ୍କ ଭିତରେ ଉତ୍ସାହ କମ୍ ଦେଖିବାକୁ ମିଳୁଛି। ତଥ୍ୟ କହୁଛି ରାଜ୍ୟରେ ପ୍ରତି ମାସ ୫ରୁ ୬ ଜଣ ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକତା କରୁଥିବା ବେଳେ ଅଙ୍ଗଦାନ କରିବାକୁ ଲୋକଙ୍କ ସଂଖ୍ୟା କମ ରହିଛି। ଏବେ ମଧ୍ୟ ରାଜ୍ୟରେ ପ୍ରାୟ ୮୦ ରୋଗୀ ଅଙ୍ଗ ପ୍ରତିରୋପଣ ପାଇଁ ସୋଟୋ ବା ରାଜ୍ୟ ଅର୍ଗାନ ଏବଂ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ନିକଟରେ ଆବେଦନ କରି ଅପେକ୍ଷାରେ ଅଛନ୍ତି ।ମୃତ୍ୟୁ ପରେ ଜଣେ ଅଙ୍ଗଦାନ କଲେ ବଞ୍ଚିଯିବ ୮ ଜୀବନ। ଆଉ ଜଣେ ବ୍ୟକ୍ତି ଖାଲି ଲିଭର କି କିଡନୀ ନୁହେଁ ନିଜର ୩୫ଟି ଅଙ୍ଗ ମଧ୍ୟ ଦାନ କରିପାରିବ। ସାଇସମୃଦ୍ଧି ସତରେ ଆଜିର ପିଢିପାଇଁ ଏକ ପ୍ରେରଣା ।