ନ୍ୟୁଜ 365 (ବ୍ୟୁରୋ): ଜ୍ଞାନବାପୀ ମସଜିଦ୍ର ସର୍ଭେ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ଏଏସଆଇ)କୁ ସର୍ଭେ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି । କିନ୍ତୁ ସର୍ଭେ ସମୟରେ ଏଏସଆଇ ମସଜିଦ୍ରେ କୌଣସି ପ୍ରକାର ଖୋଳା ତାଡ଼ କରିବ ନାହିଁ ବୋଲି କୋର୍ଟ କହିଛନ୍ତି । ନନ୍ ଇନଭାସିଭ ମେଥଡ୍’ରେ ଉକ୍ତ ସର୍ଭେ ଏଏସଆଇ । ସେହିପରି ସର୍ଭେ ରିପୋର୍ଟକୁ ୪ ସପ୍ତାହ ମଧ୍ୟରେ ବାରଣାସୀ ଅଦାଲତରେ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ, ବାରଣାସୀର ଏକ ଅଦାଲତ ଏହି ମସଜିଦର ସର୍ଭେ ପାଇଁ ଜୁଲାଇ ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବାରଣାସୀ କୋର୍ଟଙ୍କ ଆଦେଶକୁ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟରେ ଚାଲେଞ୍ଜ କରିଥିଲା। ଗତ ଗୁରୁବାର ହାଇକୋର୍ଟ ସେମାନଙ୍କ ଏହି ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ କମିଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ବର୍ତ୍ତମାନ ସୁପ୍ରିମକୋର୍ଟ ବିନା କୌଣସି ଖନନରେ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଏଏସଆଇ ଓ ୟୁପି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରତିଶ୍ରୁତି ଦେଇଥିଲେ ଯେ କୌଣସି ଉତ୍ଖନନ କାର୍ଯ୍ୟ ହେବନାହିଁ ଏବଂ ମସଜିଦ ପରିସରରେ କୌଣସି ନିର୍ମାଣକୁ କ୍ଷତି ମଧ୍ୟ ପହଞ୍ଚାଯିବ ନାହିଁ। ଉଲ୍ଲେଖଯୋଗ୍ୟ, ଏଏସଆଇ ଜ୍ଞାନବାପୀ ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ଆରମ୍ଭ କରିଥିବା ସୂଚନା ମିଳିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଜ୍ଞାନବାପୀ କମ୍ପ୍ଲେକ୍ସ ନିକଟରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି।