ନ୍ୟୁଜ୍ 365(ବ୍ୟୁରୋ): ଆଜି ହେଉଛି ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକୀ। ୨୦୦୬ ମସିହା ଅଗଷ୍ଟ ୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନନ୍ଦିନୀ ଶତପଥୀ । ଏକାଧାରରେ ସେ ଥିଲେ ଜଣେ ନାରୀନେତ୍ରୀ, ଲେଖିକା ଓ ସାମ୍ବାଦିକା। ଓଡ଼ିଆ ସାହିତ୍ୟ,କଳା ଓ ସଂସ୍କୃତି ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର ଅବଦାନ। ସେହିପରି ଓଡ଼ିଶାର ଜଣେ ଅଗ୍ରଣୀ ନାରୀନେତ୍ରୀ ଭାବେ ରାଜ୍ୟରେ ଅନେକ ବିକାଶମୂଳକ କାମ ସେ କରିଛନ୍ତି । ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ ଥିଲେ ନନ୍ଦିନୀ। ପିଲାଟିବେଳରୁ ରାଜନୀତି ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା।
ଛାତ୍ରୀ ଜୀବନରୁ ରାଜନୀତି ଓ ସାହିତ୍ୟ ପ୍ରତି ବେଶ ଆକର୍ଷିତ ଥିଲେ ନନ୍ଦିନୀ। ୧୯୪୨ ମସିହାରେ ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ସେ ‘ଅନାଥ’ ନାମକ ଏକ ଗଳ୍ପ ଲେଖିଥିଲେ। ତାଙ୍କର ଅଧିକାଂଶ ସମୟ ଲେଖାଲେଖିରେ ବିତୁଥିଲା। କେତୋଟି କଥା, ଉତ୍ତର ପୁରୁଷ, ସୁନା ହଜିଗଲା ଆଦି ତାଙ୍କର ଶ୍ରେଷ୍ଠକୃତି। ତସଲିମା ନସରିନଙ୍କ ବିବାଦୀୟ ‘ଲଜ୍ଜା’ ପୁସ୍ତକର ଓଡ଼ିଆ ଅନୁବାଦ ମଧ୍ୟ ସେ କରିଛନ୍ତି । ବ୍ରିଟିଶ ସରକାରଙ୍କ ୟୁନିୟନ ଜ୍ୟାକ୍ ଓହ୍ଲାଇ ଦେଇ ପୁଲିସ ନିର୍ଯାତନାର ଶୀକାର ହୋଇଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ। ୧୯୪୬ ମସିହାରେ ମହାବିଦ୍ୟାଳୟ କୋଠା ଉପରୁ ୟୁନିୟନ ଜ୍ୟାକ ପତାକା କାଢ଼ି ସେ ସାହସିକତାର ପରିଚୟ ଦେଇଥିଲେ। ଏହାସହ ସେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା ।
୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର ପିଠାପୁରରେ ଏକ ବିପ୍ଲବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନନ୍ଦିନୀ। ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ସେ ଥିଲେ ବଡ଼ ଝିଅ। ଜେଜେ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ଥିଲେ ଜଣେ ସ୍ଵାଧିନତା ସଂଗ୍ରାମୀ। ରେଭେନ୍ସା ମହାବିଦ୍ୟାଳୟରୁ ସେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ। କଟକର ଝିଅ ନନ୍ଦିନୀ ଦେବୀ ଢେଙ୍କାନାଳର ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରିଥିଲେ। ସ୍ୱାମୀ ଦେବେନ୍ଦ୍ର ଢେଙ୍କାନାଳରୁ ଲୋକସଭା ସାଂସଦ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ । ଉଭୟଙ୍କର ଦୁଇ ପୁଅ । ବଡ଼ ପୁଅ ନଚିକେତା ଶତପଥୀ ଓ ସାନପୁଅ ତଥାଗତ ଶତପଥୀ। ବଡ଼ ପୁଅ ବାହାରେ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ସାନ ପୁଅ ତଥାଗତ ଶତପଥୀ ମଧ୍ୟ ଓଡ଼ିଶା ରଜନୀତିର ଜଣେ ବଳିଷ୍ଠ ବ୍ୟକ୍ତିତ୍ଵ ।
ସେ ପ୍ରଥମେ ୧୯୬୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ। ପରେ ୧୯୬୬ରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ନନ୍ଦିନୀ ଶତପଥୀ ୧୯୭୨ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ୧୪ଜୁନ୍ ୧୯୭୨ରୁ ୩ ମାର୍ଚ୍ଚ ୧୯୭୩ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ପରେ ୧୯୭୩ରେ ପୁଣି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନନ୍ଦିନୀ ଶତପଥୀ । ୬ ମାର୍ଚ୍ଚ ୧୯୭୩ରୁ ୧୬ ନଭେମ୍ବର ୧୯୭୬ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଶାରେ ଅନେକ ବିକାଶ ହୋଇଥିଲା । ଗ୍ରାଣୀଣ ବିକାଶ, ଜଳସେଚନ, ଭୂମିହୀନଙ୍କୁ ଭୂମିଦାନ, ଶିକ୍ଷାର ପ୍ରଗତି ଆଦି କ୍ଷେତ୍ରରେ ସାମୁହିକ ବିକାଶ ନନ୍ଦିନୀ ଦେବୀଙ୍କ ପ୍ରତିବଦ୍ଧ ଶାସନ ବ୍ୟବସ୍ଥାର ଫଳଶ୍ରୁତି ।
୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ନନ୍ଦିନୀ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉତ୍କଳପ୍ରଦେଶ କଂଗ୍ରେସ ଦଳରେ ସେ କିଛି ଦିନ କାର୍ଯ୍ୟ କରିଥିଲେ। ପୁଣି କଂଗ୍ରେସରେ ଯୋଗ ଦେଇ ୧୯୮୦ରୁ ୮୫, ୧୯୮୫ରୁ ୯୦ ଓ ୧୯୯୦ରୁ ୯୫ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ନନ୍ଦିନୀ ଦେବୀ ଓଡ଼ିଶାରେ ମହିଳାମାନଙ୍କ ପାଇଁ ଅନେକ କାମ କରିଛନ୍ତି । ମହିଳାଙ୍କ ବିକାଶ ପାଇଁ ସେ ଅହରହ ଉଦ୍ୟମ କରିଛନ୍ତି ।