ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଉ ସରକାରୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଏକାଠି ବସିବେ ନବୀନ- ଶାହ । ଗୋଟେପଟେ ବିଜେପି-ବିଜେଡି ଅଘୋଷିତ ମେଣ୍ଟକୁ ନେଇ ଆଞ୍ଚଳିକଠୁ ଆରମ୍ଭ କରି ଜାତୀୟ ରାଜନୀତି ଏବେ ଉଠୁଛିପଡୁଛି । ଏପଟେ ଦୁଇ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏମିତି ଏକାଠି ହେବାକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣ ଖୋଜୁଛନ୍ତି ଲୋକେ ।
୪ ତାରିଖ ରାତି ୧୦ଟା ୪୦ରେ ଶାହା ଭୁବନେଶ୍ୱର ପହଂଚିବେ । ଶନିବାର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ଶନିବାର ସକାଳ ୧୧ରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ । ଏହି ସମୟରେ ଗୋଟିଏ ମଂଚରେ ବସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା’ପରେ ୧୨ଟାରୁ ସାଢେ ୧୨ଟା ନକ୍ସଲ ଦମନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ । ସାଢେ ୧୨ଟାରୁ ଦଳୀୟ ବୈଠକ ସହ ପାର୍ଟି କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବେ ।ଅପରାହ୍ନ ୨ଟାରୁ ୫ଟା ଯାଏ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେବେ । ସନ୍ଧ୍ୟା ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ କରି ପ୍ରତ୍ୟାବର୍ତ୍ତନ କରିବେ ଶାହ । ତେବେ ଅମିତ ଶାହଙ୍କ ଏପରି ଓଡ଼ିଶା ଗସ୍ତକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି ।