ନ୍ୟୁଜ 365 (ବ୍ୟୁରୋ): ଗରିବ ଲୋକଙ୍କ ପାଇଁ କାମ କରିବାକୁ ଏନଡିଏ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ଏମ୍ପିଙ୍କ ସହ ଏକ ସ୍ବତନ୍ତ୍ର ବୈଠକ କରିଛନ୍ତି । ଏହି ଅବସରରେ ଗରିବ ଲୋକଙ୍କ ପାଇଁ କାମ କରିବାକୁ କହିଛନ୍ତି । ସେହିପରି ସାଂସଦମାନଙ୍କୁ ନିର୍ବାଚନର ବିଜୟର ମନ୍ତ୍ର ମଧ୍ୟ ଦେଇଛନ୍ତି ମୋଦୀ ।
ସୂଚନା ଅନୁସାରେ, ଏହି ସ୍ୱତନ୍ତ୍ର ବୈଠକରେ ସାଂସଦ ମାନଙ୍କୁ ପରାମର୍ଶ ଓ ଅନେକ ନୀତି ଶିକ୍ଷା ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଜଣେ ସାଂସଦ ଭାବରେ ଆମ ଭାଷାରେ ସଂଯମତା ରହିବା ଆବଶ୍ୟକ। ବିରୋଧୀ ଦଳ ଆପଣଙ୍କୁ ଉତ୍ତେଜିତ କରିବେ କିନ୍ତୁ ତୁମର ଭାଷା ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ତଥ୍ୟ ଆଧାରରେ ବିରୋଧୀ ଦଳର ମୁକାବିଲା କରିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ସାଂସଦ ମାନଙ୍କୁ ସମାଜର ସମସ୍ତ ବିଭାଗ ପାଇଁ କାର୍ଯ୍ୟ କରିବାକୁ କହିଛନ୍ତି ମୋଦୀ । ସାଂସଦମାନେ ନିଜ ନିଜ ଲୋକ ସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ହେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।